ଶେଫାଳି ପ୍ରତି (କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ) - Shephali Prati (Keun Dura Tarubare Phutiachhu Gopane) Lyrics
ଗୀତ: ଶେଫାଳି ପ୍ରତି
ଭାଷା : ଓଡ଼ିଆ
ଗୀତିକାର: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୧୯୦୦-୧୯୩୮)
ଶେଫାଳି !
କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ
ଭୁରୁଭୁରୁ ଗନ୍ଧ ତୋର ଭାସି ଅସେ ପବନେ
ବାତାୟନ ପାଶେ ବସି
ଚାହେଁ ନବୋଦିତ ଶଶୀ
ହସି ହସି ସତେ ଉଇଁ ଆସେ ଦୂର ଗଗନେ
ଭବାବେଶେ ମୁଗ୍ଧ ମୁଁ କି ମଜ୍ଜିଅଛି ସ୍ଵପନେ ! ॥୧॥
ଭାବରାଜ୍ୟେ ବୁଲେଁ ସତେ ହଜିଅଛି ଚେତନା
ଅନ୍ତର ଅନନ୍ତ ରାଜ୍ୟେ ପୂରିଅଛି କଳ୍ପନା
ବିଶାଳ ଏ ବିଶ୍ଵକ୍ଷେତ୍ରେ
ଅର୍ଦ୍ଧ ନିମୀଳିତ ନେତ୍ରେ
ଦେଖେଁ ସତେ ଶୋଭାରାଶି ପଡୁଅଛି ଉଛୁଳି
ତହିଁ ସୁଧା ଢାଳୁକିରେ ଗନ୍ଧେ ଗଙ୍ଗଶିଉଳି ? ॥୨॥
ଶରଦ ଦିନାନ୍ତେ ବସି ବାତାୟନ ପାଶରେ
ବୁଡ଼ିଅଛି ମନ ମୋର କିବା ପ୍ରେମରସରେ
ଆବେଶେ ପୁଲକେ ମୋର
ନୟନରୁ ବହେ ଧାର
ହୃଦତନ୍ତ୍ରୀ ବାଜିଉଠେ କି ଅମୃତ ସୁସ୍ଵରେ
ନିମିଷେ ଭାବଇଁ ମୁଁ ତ ଅଛି ଅବା ସ୍ଵର୍ଗରେ ! ॥୩॥
ସାରାଦିନ ପରିଶ୍ରମ କ୍ଳେଶ କ୍ଳାନ୍ତି ଅଶେଷ,
ନାନା ଚିନ୍ତା ରୋଗଶୋକ କଷ୍ଟ ଦେଲା ବିଶେଷ
ଯହୁଁ ରବି ଅସ୍ତାଚଳେ
ଧୀରେ ଧୀରେ ଢଳିଗଲେ
ସନ୍ଧ୍ୟାଗାଥା ଗାଇ ପକ୍ଷୀ ଫେରିଲେ ସ୍ଵ ସଦନେ
ତମୋରାଶି ବୋଳିଦେଲା ନିଶା ଧରା ଆନନେ ॥୪॥
ନୀଳ ନଭ ମଣ୍ଡି ଧୀରେ ହସି ଦୀପ୍ତଲୋଚନେ
ଦେଖା ଦେଲେ ଶତଶତ ତାରା ଜ୍ୟୋତି-ବସନେ
ଅଙ୍ଗେ ବୋଳି ସୁଧାରାଶି
ଶଶାଙ୍କ ଉଇଁଲା ଆସି
ଝରି ଝରି ପଡ଼ିଲା କି ଭୁବନରେ ଅମୃତ
ସତେକି ଧରଣୀରାଣୀ ଦୁଃଖ ହେଲା ବିସ୍ମୃତ ॥୫॥
ରବି ବିରହରେ ଧନୀ କାନ୍ଦିଥିଲା ମଉନେ
ଅନ୍ଧକାରେ ନତ ନେତ୍ରେ ବିଷାଦିତ ବଦନେ
ଚାନ୍ଦ କି ଆସିଲା ଉଇଁ
ଚାନ୍ଦିନୀ ଚୁମ୍ବିଲା ଭୂଇଁ
ହସିଲା କି ବସୁମତୀ ଚାରୁ ଶୁଭ୍ର ଦୁକୂଳେ
ଫୁଟିଲୁ ଶେଫାଳି ରହି ତୁ କି ପ୍ରେମ ଆକୁଳେ ॥୬॥
ଶେଫାଳି !
ମୃଦୁ ମୃଦୁ ଗନ୍ଧ ତୋର ଭାସିଆସେ ପବନେ
ଛନ ଛନ ପ୍ରାଣ ମୋର କି ଆକୁଳ ଗୋପନେ !
ସତେ ମୋର ଦୁଃଖରାଶି
କ୍ଷଣେ କାହିଁ ଗଲା ଭାସି
କେତେ କି କଳ୍ପନା ମନେ ଆସୁଅଛି ବିଜନେ
କ୍ଷଣେ ପହଞ୍ଚିଲି ସତେ ଯାଇଁ ସ୍ଵର୍ଗଭୁବନେ ! ॥୭॥
ଶେଫାଳି !
କ୍ଷୁଦ୍ର ତୋର ତନୁ, ତହିଁ ଭରା ଏତେ ଅମୃତ
ବିହିଲୀଳା କେ ବୁଝିବ, ଜ୍ଞାନାତୀତ ଅଦ୍ଭୁତ !
ଗୋପନେ ଫୁଟିଛୁ ଦୂରେ
ତରୁପତ୍ର ଗହଳରେ
ତଥାପି ତୋ ବାସେ ମୋର ପ୍ରାଣ ହୁଏ ଆକୁଳ
କହ କେଉଁ ଶିଳ୍ପୀ ତୋତେ ଗଢ଼ିଅଛି ରେ ଫୁଲ ! ॥୮॥
କି କୋମଳ କି ଲଳିତ କି ମଧୁର ସୁରଭି
କର୍କଶ କୁତ୍ସିତ ପତ୍ରେ ଶୋଭେ କିନ୍ତୁ ଅଟବୀ
ରୁକ୍ଷ ପତ୍ରରାଶି କୋଣେ
ଫୁଲ ଫୁଟୁ ଏତେ ଗୁଣେ
ଲୁଚି ଲୁଚି ବାସେ ତାର ମୁଗ୍ଧ କରୁ ସଂସାର
ନୀଚ ମଧ୍ୟେ ଉଚ୍ଚ ସୃଷ୍ଟି ବିଧାତାର ବିଚାର ॥୯॥
ପଙ୍କେ ପଦ୍ମ ଗଢ଼ିଅଛି ବିଧାତା କି ଯତନେ
ଶାମୁକା ଗରଭେ ନିହିଅଛି ମୁକ୍ତା ରତନେ
କଳାମେଘ କଳେବରେ
ସୌଦାମିନୀ ଶୋଭା ଧରେ
କଳା କୋକିଳ କଣ୍ଠରେ ପୂରିଅଛି ପୀୟୁଷ
ତୁଚ୍ଛ ଭବେ ନୁହେଁ କିଛି, କ୍ଷୁଦ୍ର ତୋର ସଦୃଶ ॥୧୦॥
ଶେଫାଳି !
ମନେ ମନେ ରୂପ ତୋର କଳ୍ପନାରେ ଆସେ କି
ଭାବି ଭାବି କଥା ତୋର ଉଲ୍ଲାସରେ ଭାସେ କି
ଏକ ରାତ୍ରି ପାଇଁ ଫୁଟି
ସୁବାସେ ଯାଉଛୁ ଲୋଟି
କ୍ଷୁଦ୍ର ତୋର ଜୀବନରେ ସୁମହତ ବିକାଶ
କ୍ଷୁଦ୍ର ବୋଲି ମୁହିଁ କିମ୍ପାଁ ହୋଇବି ରେ ନିରାଶ ? ॥୧୧॥
ଶେଫାଳି !
କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ
ଚାହିଁଲେ ବିଶାଳ ବିଶ୍ଵ ଆସୁଛି କି ପରତେ ?
କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ
ଅକାରଣେ ଜନ୍ମି ନାହିଁ
ଅନନ୍ତ ବିନାଶ ମୋର ଲେଖାନାହିଁ କପାଳେ
ଏକ ରାତି ପାଇଁ ଫୁଟି ଝଡ଼ିଯିବି ସକାଳେ ! ॥୧୨॥
ଶେଫାଳି !
ନିତି ପ୍ରାତେ ଦେଖେଁ ପଡ଼ିଅଛୁ ତରୁମୂଳରେ
ଢଳ ଢଳ ହିମବିନ୍ଦୁ ଶୋଭେ ଶୁଭ୍ର ଦଳରେ
ସ୍ଫଟିକେ ପ୍ରବାଳ ପରା
ଗଠିତ ତୋ ତନୁ ତୋରା
ମନୋନ୍ମାଦକର ତହିଁ ପୂରିଅଛି ସୁବାସ
କି କୋମଳ କି ଲଳିତ କି ମୋହନ ବିକାଶ ॥୧୩॥
କି ଯତନେ ଆହରି ମୁଁ ଗୁନ୍ଥେ ମାଳା ଆଦରେ
ପୁଲକିତ ପ୍ରେମସ୍ପର୍ଶେ ଦୋଳାଏଁ ମୋ କଣ୍ଠରେ
ଧୀରେ ପରଶି ଅଧରେ
କେତେ ମୁଁ ତୋତେ ଆଦରେ
କି ବୁଝିବୁ ପ୍ରାଣହୀନ, ଆକୁଳତା ମୋହର
କେତେ ପ୍ରେମ କରେଁ ତୋତେ ଗୋପନେ ମୋ ଅନ୍ତର ? ॥୧୪॥
ଶେଫାଳି !
କହେଁ ତୋ ଆଗରେ ସବୁ, ତୁ କି ବନ୍ଧୁ ଜୀବିତ
ହେଲେ ମୋ ହୃଦୟ ଶତ ବେଦନାରେ ବ୍ୟଥିତ
ଆପଣା ମନେ ମୁଁ ଭାଷେଁ
ତୋତେ ଶୁଣାଇବା ଆଶେ
ଶୁଣୁ କି ନ ଶୁଣୁ ଏକା ଜାଣୁ ତୁହି ସୁମନ
ବୁଝୁ କି ନ ବୁଝୁ ମୋର ଶତ ପ୍ରୀତି-ବଚନ ॥୧୫॥
କହି କହି କିନ୍ତୁ ମୁହିଁ ଲଭେଁ ପ୍ରାଣେ ଆରାମ
ତୋ ବୁଝିବା ନ ବୁଝିବା ମୋର ପକ୍ଷେ ସମାନ
କହୁଥିବି ଦିବାରାତି
ପ୍ରାଣେ ତ ଲଭିବି ଶାନ୍ତି
ତୋ ଉଦ୍ଦେଶେ ଆରେ ଫୁଲ ମୋ ପ୍ରାଣର ଏ ବ୍ୟଥା
ତୁ ନ ଶୁଣୁ ଆଉ ଜଣେ ଶୁଣିବ ତ ମୋ କଥା ॥୧୬॥
ଶେଫାଳି !
ମୋ ଜୀବନ ଶେଷ କାଳେ ପଡ଼ିବି ତ ମୁଁ ଝରି
ତୋଳିନେବ ନାହିଁ କି ସେ ମୋତେ ଯତ୍ନେ ଆହରି ?
ମୋର ଆତ୍ମାଫୁଲ ଚାରୁ
ଚରଣେ ଦଳିବା ଠାରୁ
ତାର ପ୍ରିୟ ନିକେତନ ସଜାଇବ ନେଇ ସେ
ତୋଷିବ ପ୍ରାଣଟି ମୋର କେତେ ପ୍ରେମ ଦେଇ ସେ ॥୧୭॥
ଶେଫାଳି !
ତୋହ ପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ
ହସେ ବାସେ ରସେ ମାତ୍ର ଫୁଟିଅଛି ଘଡ଼ିକ
ମାଟିରେ ମିଶିବୁ ତୁହି
ମାଟିରେ ମିଶିବି ମୁହିଁ
ତଥାପି ମୋ ଆତ୍ମାଫୁଲ ନ ଯିବ ରେ ମଉଳି
ତେଣୁ ଆଶା ବହି ଦିନକାଟେ ଗଙ୍ଗଶିଉଳି ॥୧୮॥
ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ
ମରିବାକୁ ଫୁଟିନାହିଁ ଭବତରୁ ଡାଳରେ
ଅଛି ରମ୍ୟ ଉପବନ
ଯହିଁ ଫୁଟି ଚିରଦିନ
ଅନନ୍ତ ଅମୃତ ପ୍ରେମ ସୁଧାମୟ ସୁବାସେ
ମୋହିବି ମୋ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ ! ॥୧୯॥
ଶେଫାଳି !
ମୃଣ୍ମୟ ଶରୀର ତୋର ଏଡ଼େ ଚାରୁ ଶୋଭିତ
ନ ଜାଣେ ମୋ ଆତ୍ମାଫୁଲ କି ସୌନ୍ଦର୍ଯ୍ୟେ ଚିତ୍ରିତ
ତୁ ଯଦି ମୋ ନେତ୍ରେ ପ୍ରିୟ
ତାଙ୍କ ନେତ୍ରେ ହେବି ହେୟ
ମୁଁ କି କେଉଁକାଳେ ମୋର ନ ହୁଏ ତ ବିଶ୍ଵାସ
ଫୁଟିବି ମୁଁ ଚିରଦିନ ନ ହେବ ମୋ ବିନାଶ ॥୨୦॥
ଶବ୍ଦାର୍ଥ
ଶେଫାଳୀ - ଗଙ୍ଗଶିଉଳି ଫୁଲ, ବାତାୟନ - ଝରକା, ଅର୍ଦ୍ଧ ନିମୀଳିତ - ଅର୍ଦ୍ଧ ମୁଦ୍ରିତ, ଧନୀ - ସୁନ୍ଦରୀ, ଚାନ୍ଦିନୀ - ଚନ୍ଦ୍ରକିରଣ, ଦୁକୂଳ - ଶାଢ଼ୀ, ବିହି - ବିଧାତା, ଅଟବା - ବୃକ୍ଷ, ସୌଦାମିନୀ - ବିଜୁଳି, ପୀୟୂଷ - ଅମୃତ, ହିମବିନ୍ଦୁ - କାକର କଣିକା, ଦଳ - ପାଖୁଡ଼ା, ନିକେତନ - ଗୃହ, ମୃଣ୍ମୟ - ମାଟି ତିଆରି, ମରଣଶୀଳ, ଚାରୁ - ସୁନ୍ଦର
ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Which in class
ReplyDeleteଏହି କବିତାଟି +୨ (12th std.) ସାହିତ୍ୟ ବହିରୁ ଉଦ୍ଧୃତ ।
Deleteହାଇସ୍କୁଲରେ ବି ଥିଲା ଆଗରୁ ।
ସୁନ୍ଦର
ReplyDeleteଆପଣଙ୍କ ମତାମତ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।
Delete- "ଦି ସ୍ମରଣିକା" ଟିମ୍
Story decribe
ReplyDeleteDue to constraints of time and resources, we could not include detailed explanation.
Delete- The Smaranika Team