Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ରେଳ ଉପରେ ଚିଲିକା ଦର୍ଶନ (ରହ ରହ କ୍ଷଣେ ବାଷ୍ପୀୟଶକଟ) - Rela Upare Chilika Darshana (Raha Raha Khyane Baspiyashakata) Lyrics



== ଓଡ଼ିଆ ==

ଗୀତ : ରେଳ ଉପରେ ଚିଲିକା ଦର୍ଶନ (ରହ ରହ କ୍ଷଣେ ବାଷ୍ପୀୟଶକଟ)
ଭାଷା : ଓଡ଼ିଆ
ଗୀତିକାର : ଉତ୍କଳମଣି ଗୋପବନ୍ଧୁ ଦାସ



ରହ ରହ କ୍ଷଣେ ବାଷ୍ପୀୟଶକଟ
          ଦେଖିବି ଚିଲିକା ଚାରୁ ଚିତ୍ରପଟ ।
ଚିତ୍ର ମଣେ ଯେଣୁ ନାହିଁ ଅନୁଭବ
          ବାସ୍ତବ ବିଶ୍ଵେ କି ଏ ଛବି ସମ୍ଭବ ! ॥୧॥ 
ନୀଳ ବୀଚିମାଳା ଧୀରେ ଧୀରେ ଯାଏ
          ଲାଗଇ ସ୍ଵପନେ ଦେଖିଲା ପରାଏ ।
ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ
          ଓଲଟିଣ ତଳେ ଦିଶନ୍ତି ଯୁଗଳ ॥୨॥
ଘୋର ନାଦେ ଯହୁଁ ଉଠିଲେ ସେ ନଭେ
          ଉଠେ ଶତ ଖଗ ଚିଲିକା ଗରଭେ ।
ସତ୍ୟ ବୋଲି ମନେ ନ ହେଉ ପ୍ରତୀତ
          ପଲକେ ସେ ଦୃଶ୍ୟ ହୁଏ ତିରୋହିତ ॥୩॥
ଦୂରେ ଘେନିଯାଏ ନିଦାରୁଣ ଯାନ
          ଆସେ ପୁଣି ତରୁ ଶିଳା ବ୍ୟବଧାନ ।
ନିମିଷେ ଲୁଚାଏ ନିମିଷେ ଦେଖାଏ
          ସ୍ଵପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ॥୪॥  
କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ
          କାହିଁ ବା ଧୂସର କାହିଁବା ଧବଳ ।
ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା
          ପ୍ରକାଶି ଚିଲିକା କରୁ କେତେ ମାୟା ॥୫॥
ଦେବୀ ବୀଣାପାଣି ଶାଶ୍ଵତ ସେବକ
          କବି ରାଧାନାଥ ସୁଷମା-ଗ୍ରାହକ ।
ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ
          ବହୁ ନଦୀ ମରୁ କାନନ ପର୍ବତେ ॥୬॥
ଦେଖିଲେ ପ୍ରକୃତି ବିବିଧ ପ୍ରକାଶ
          କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ ।
ସୁଖ-ଶାନ୍ତି-ପ୍ରୀତି କାହିଁ ଏକାଧାରେ
          ନ ପାଇଲେ ଯଥା ମିଳେ ତୋହଠାରେ ॥୭॥
ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି
          ସାରସ୍ଵତ ନେତ୍ରେ ବାଛି ତହୁଁ ମଣି ।
ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର
          ଅର୍ପିଲେ ଉତ୍କଳ-ଭାରତୀ ଗଳାର ॥୮॥
ଚିରଦିନ ତାହା ରାଜିବ ରୁଚିର
          ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର ।
ମୁଁ ଅଧମ ମୋର ଭାବୁକତା ନାହିଁ
          ତଥାପି ଏ ପ୍ରାଣ କେ ଜାଣେ କିପାଇଁ ॥୯॥
ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ
          ତେଣୁ ଭାବିଥିଲି ଆସି ତୋର କୂଳେ ।
ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ
          କର୍ମ-ବନ୍ଧେ ଥିଲା ମନ କଥା ମନେ ॥୧୦॥
ଏତେକାଳ ଅନ୍ତେ ପଡ଼ିଥିଲା ଯୋଗ
          ଆହା ସେ ସୁଯୋଗ ହେଲା କାହିଁ ଭୋଗ !
ରହିଣ ଜଞ୍ଜାଳ ବିଷମ ଜଗତେ
          ସଂସାରୀ ସୋଦର ବାନ୍ଧବ ସଙ୍ଗତେ ॥୧୧॥
ଇଚ୍ଛାମତେ କାହୁଁ ଚଳିବ ବା ଜନ ?
          ସମାଜେ ନିଜର ନୁହେଁ ନିଜ ମନ ॥  
ବସି କେତେଥର ନୀରବ ବିଜନେ
          ଦେଖିଛି ତୋ ରୂପ କଳ୍ପନା-ନୟନେ ॥୧୨॥
ତୋ ନୀଳ ତରଙ୍ଗେ ଖେଳେ ନିରନ୍ତର
          ଅନୁପମ ଦିବ୍ୟ ହିରଣ୍ମୟ କର ।
ଚାରୁ ଶକ୍ରଚାପ ତୋର ବକ୍ଷସ୍ଥଳେ
          ନାଚେ ଶତ ଶତ ମୋ କଳ୍ପନା ବଳେ ॥୧୩॥
କଳ୍ପନା ଚିତ୍ରିତ ତୋ ସୁନ୍ଦର ତନୁ
          କାଳେ କାଳେ ଆଉ ନ ଯିବ ମୋ ମନୁ ।
ଆଜି ଲୋ ଚିଲିକା କଳ୍ପନା ପ୍ରଭାବେ
          ପୂରଇ ମୋ ମନ ଆହା କେତେ ଭାବେ ॥୧୪॥
ଅତୀତର ସୁଖ ସ୍ମୃତି ସମୁଚ୍ଚୟ
          ହର୍ଷ-ଖେଦେ କରେ ଆକୁଳ ହୃଦୟ ।
ତୋ ମଧୁର ନାମେ ରହିଛି ଜଡ଼ିତ
          ଗଉରବାନ୍ଵିତ ଉତ୍କଳ-ଅତୀତ ॥୧୫॥
କାହିଁ ଉତ୍କଳର ସେ ସୁକୃତରାଶି ?
          ଯାହାର ପ୍ରଭାବେ ପ୍ରଭୁ ବ୍ରହ୍ମରାଶି ।
ନିଜେ ନିରଞ୍ଜନ ଜଗତ-ଈଶ୍ଵର
          ଧରିଣ ସୈନିକ-ନର-କଳେବର ॥୧୬॥
ଉତ୍କଳର ଯଶ ପ୍ରତିଷ୍ଠା ରକ୍ଷଣେ
          ବିଜେ କଲେ ଘୋର ସମର-ପ୍ରାଙ୍ଗଣେ ।
କାହିଁ ସେ ସୌଭାଗ୍ୟ କାହିଁ ସେ ସୁକୃତ
          ପବିତ୍ର ଉତ୍କଳ ଆଜି କି ବିକୃତ ! ॥୧୭॥
ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ
          ହରାଇଛି ସବୁ କର୍ମ-ଧର୍ମ-ବଳ ।
ନାହିଁ ମୁଖେ ତେଣୁ ପୂର୍ବ ପୁଣ୍ୟକାନ୍ତି
          ହୃଦୟେ ସ୍ଵର୍ଗୀୟ ଧର୍ମଜାତ ଶାନ୍ତି ॥୧୮॥
ଜୀବନେ ପବିତ୍ର ଉତ୍ସାହ ଶକତି
          ଉତ୍କଳର ଆହା କି ଘୋର ଦୁର୍ଗତି !
କାହିଁ ଗଲା ପୂର୍ବ ଓଡ଼ିଆ ବୋଇତ ?
          କାହିଁ ସେ ନାବିକ କର୍କଶ ସଙ୍ଗୀତ ? ॥୨୦॥
ଜଳପଥେ କାହିଁ ବିଦେଶ ଗମନ ?
          କାହିଁ ପୂର୍ବ ଖ୍ୟାତି କାହିଁ ପୂର୍ବ ଧନ ?
କଥାରେ ରହିଛି ସବୁ ଆଜିଯାଏ
          ସାଧବାଣୀ ବୋହୂ ବୋଇତ ବନ୍ଦାଏ ॥୨୧॥  
କଙ୍କରିତ ତୋର ଦୃଢ଼ ରମ୍ୟ ତଟ
          ଦୁର୍ଗମ ଶଇଳ ଅଭେଦ୍ୟ ସଙ୍କଟ ।
ଖେଳାଉଥିଲେ ଯେ ଧରି ନିଜ ଦେହେ
          ଉତ୍କଳର କେତେ ବୀର ଶିଶୁ ସ୍ନେହେ ॥୨୨॥
ଅଛି ସେହି ଗିରି ଅଛି ସେ ବିପିନ
          ଅଛି ତୋର ଶିଳା ସୁଦୃଢ଼ ପୁଳିନ ।
କିନ୍ତୁ କାହିଁ ଆହା ଏବେ ସେ ବୀରତା ?
          ଓଡ଼ିଆ ଜାତିର ପୂର୍ବ ଜାତୀୟତା ? ॥୨୩॥


ଶବ୍ଦାର୍ଥ
ବାଷ୍ପୀୟଶକଟ -
ରେଳଗାଡ଼ି, ବୀଚି - ତରଙ୍ଗ, ଢ଼େଉ, ଖଗ - ପକ୍ଷୀ, ବିହଙ୍ଗ, ଚାରୁ - ସୁନ୍ଦର, ଶକ୍ରଚାପ - ଇନ୍ଦ୍ରଧନୁ, କଙ୍କରିତ - କର୍କଶ, କଠିନ, ରମ୍ୟ - ମନୋରମ, ସୁନ୍ଦର, ବିପିନ - ବଣ, କାନନ, ପୁଳିନ - ତଟ, ଚଡ଼ା, ସୈକତ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. Replies
    1. ନିରନ୍ତର ଖେଳେ ନୀଳ ଉର୍ମୀ ମାଳା
      ବକ୍ଷ ତୋର ସତେ ଦିଶେ କେଡ଼େ ତୋରା
      ଲହଡି ଭାଙ୍ଗୁଛି ହେଉଛି ବାଉଳା
      ପ୍ରକୃତି ରଚିଛି କେତେ ଲୀଳା ଖେଳା
      ମାଆ କାଳୀଜାଇ ବିଜେ ତୋ ବକ୍ଷରେ
      ବନ୍ଦନା କରୁଛି ତାଙ୍କୁ ଭକ୍ତି ଭରେ I🙏🏾I
      ଚିଲିକା ତୀରେ - ଆଜି ତା 02.11.2024ରିଖ

      Delete
    2. ନିରନ୍ତର ଖେଳେ ନୀଳ ଉର୍ମୀ
      ମାଳା
      ବକ୍ଷ ତୋର ସତେ ଦିଶେ କେଡ଼େ ତୋରା
      ଲହଡି ଭାଙ୍ଗୁଛି ହେଉଛି ବାଉଳା
      ପ୍ରକୃତି ରଚିଛି କେତେ ଲୀଳା ଖେଳା
      ମାଆ କାଳୀଜାଇ ବିଜେ ତୋ ବକ୍ଷରେ
      ବନ୍ଦନା କରୁଛି ତାଙ୍କୁ ଭକ୍ତି ଭରେ I🙏🏾I
      ଚିଲିକା ତୀରେ - ଆଜି ତା 02.11.2024ରିଖ

      Delete
    3. ମତାମତ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  2. Replies
    1. ମତାମତ ପାଇଁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  3. ଯେବେବି ଚିଲିକା ଯାଇଛି, ଏ କବୀତାଟି ମନେ ପଡିଛି। ଜଟିଆ ପାହାଡରୁ ଚିଲିକା ଗୋଟେ ଚିତ୍ର ପରି ଲାଗେ।

    ReplyDelete
    Replies
    1. ଜାଣି ଖୁସିହେଲୁ ।
      ଚିଲିକାରେ ଆପଣଙ୍କ ଅଭିଜ୍ଞତା ଆମ ସହ ବାଣ୍ଟିଥିବାରୁ ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  4. କେଡେ ମନୋରମ ଲାଗେ ମୋ ଉତ୍କଳ
    କବିତା ସାଙ୍ଗ କୁ ଚିଲିକାର ଦୃଶ୍ୟ ।
    କବି ଗୋପବନ୍ଧୁ କରନ୍ତି ଆଦ୍ରୁତ
    ବାସ୍ତବରେ ଦୃଶ୍ୟ ଲାଗେ ଆଚମ୍ବିତ।
    ବିରେ ମାଟି ଜନ୍ମି ରଖିଗଲେ ଯଶ
    ଧନ୍ୟ ତାଙ୍କ ଲେଖା ଦୃଶ୍ୟ ସାୟନ୍ତନ।
    ଅଶେଷ ଧନ୍ୟବାଦ୍ ଲେଖା କୁ ବଞ୍ଚେଇ ରଖିଥିବାରୁ।

    ReplyDelete
    Replies
    1. ଆପଣଙ୍କ ମତାମତ ପଢ଼ି ଖୁସି ହେଲୁ । ଅଶେଷ ଧନ୍ୟବାଦ ।

      - "ଦି ସ୍ମରଣିକା" ଟିମ୍

      Delete
  5. ସତରେ ଚିଲିକା ର ସୁନ୍ଦରତା କୁ ବଖାଣି ବାକୁ ହେଲେ, ଶବ୍ଦକୋଷ ରୁ ଶଦ୍ଦ କାମ ପଡ଼ିବ। ପୁଣି ଥରେ ଜୀବନ ର ଗୋଟେ ସୁନ୍ଦର ଯାତ୍ରା ଅତିକ୍ରମ କରୁଥିବା ସମୟ ରେ ଏହି ମୁହୂର୍ତ୍ତ କୁ ଉପଭୋଗ କରିବା ର ସୁଯୋଗ ମିଳିଥିଲା।

    ReplyDelete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ