Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ଭୁବନେଶ୍ଵର କବିତା - Bhubaneshwar Kabita Lyrics

ଫଟୋ କ୍ରେଡିଟ୍ : ଦି ସ୍ମରଣିକା, ଅମ୍ରିତେଶ ଖଟୁଆ

କବିତା : ଭୁବନେଶ୍ଵର
ଭାଷା : ଓଡ଼ିଆ
ଗୀତିକାର : ଅମ୍ରିତେଶ ଖଟୁଆ
ମସିହା : ୨୦୧୯



ଆରମ୍ଭିବି ଅମ୍ରିତେଶ କଥା ମୁଁ ମାନସେ
          ଆଶଙ୍କା ଅଭ୍ୟର୍ଥି ପୁଣ ଏକ କ୍ଷେତ୍ର ରସେ ॥
ଅକ୍ଷୟ ଅମଳିନ ଐକ୍ୟ ସୌନ୍ଦର୍ଯ୍ୟ ନିଖୁଣେ
          ଅଇଲେଣି ଉମା ଶିବ ଏକାମ୍ର ପ୍ରାଙ୍ଗଣେ ॥
ଆରମ୍ଭି ପ୍ରଥମେ ସ୍ତୁତି ଶିବ ଉମାଙ୍କର
          ଅସାର ପ୍ରାଣେ ବିରଚି ଗାଥା ଗଣେଶ୍ୱର ॥
ଆକୁଳ ବେଦନା ହେବ ପୁଣ୍ୟ ରସ ସାର
          ଆସନ୍ନ ପୀରତି ଆଶେ ଆସି ମହେଶ୍ୱର ॥
ଆପଣାଇ ସର୍ବ ବୀଚି ପ୍ରେମର ତରଙ୍ଗେ
          ଅଧିକେ ଅଧିକେ ଦେବେ ଭକତି ଉତ୍ତୁଙ୍ଗେ ॥
ଅମର୍ତ୍ତ୍ୟବାସୀ ହେ ସୁର ତ୍ରିଲୋକୀ ମଙ୍ଗଳ
          ଆରମ୍ଭିବି ତୁମ୍ଭ ସ୍ତୁତି ମୁହିଁ ଛାର ବାଳ ॥
ପୁରାଣେ ଶାସ୍ତ୍ରେ ଉପନିଷଦେ ବର୍ଣ୍ଣନ୍ତେ
          ସୁରପତି ଋଷିପ୍ରାଣ ଏକ ଲୟ ଚିତ୍ତେ ॥
କୈଳାସବାସୀ ତ୍ରିପୁର ଈଶ୍ୱର ଅଟନ୍ତି
          ତାଙ୍କ ପାଦେ ବୈରାଗ୍ୟ ନିଇତି ଖଟନ୍ତି ॥
ଯୋଗେ ଜାତ ସ୍ୱାୟଂଭୂବ ଅଖିଳ ବୈରାଗୀ
          ଯତିପତି ଭଜି ଚିତ୍ତେ ଯାହା ଅନୁରାଗୀ ॥
ଉମାପତି ତ୍ରିଲୋଚନ ମଙ୍ଗଳ ଶ୍ରୀକାନ୍ତ
          ଉଜ୍ଜ୍ଵଳ ରଞ୍ଜିତ ଶିବ ଭସ୍ମ ପ୍ରଲେପିତ ॥
ବ୍ୟାଘ୍ରଚର୍ମଧାରୀ ଅଜ ଶାଶ୍ୱତ ଅନନ୍ତ
          ଶଙ୍କର ନୀଳକଣ୍ଠ ହେ ବାରେ ବପୁବନ୍ତ॥
ବାରେ ଦିଅ ବର ଉମାପତି ଶଙ୍କର୍ଷଣ
          ବୃତ୍ତାନ୍ତେ ବର୍ଣ୍ଣିବି ପୁର ଏକାମ୍ର କାନନ॥
ଦିନେ ନୃପ ପରୀକ୍ଷିତ ପୃଚ୍ଛନ୍ତେ ଋଷିଙ୍କୁ
          ଦର୍ଶନ ପୂରନ୍ତେ ଚିତ୍ତେ ପଖାଳି ପଦକୁ॥
ଲିଙ୍ଗାଧ୍ୟକ୍ଷ ଲିଙ୍ଗରାଜ ସଦାଶିବ ହ୍ୱନ୍ତି
          ଲୋକେ ଲୋକେ ଦରଶନ ସେହୁ ଯେ ଦିଅନ୍ତି॥
ଭୁବନେଶ୍ୱର ବିହିଲା କୀରତି ସର୍ବତ୍ର
          ଭୁବନ ଈଶ୍ୱରେ ହେଲେ ଭକତ କଳତ୍ର॥
କହନ୍ତି ଶ୍ରୀ ଶୁକମୁନି ଲିଙ୍ଗାଧ୍ୟକ୍ଷ ଗାଥା
          ଯାହାଙ୍କର କଥା ଶୁଣି ଲିଭେ ମନବ୍ୟଥା॥
ପ୍ରଥମେ କେଦାର ଗୌରୀ ରୂପେ ହେଲେ ଉଭା
          ଭିନ୍ନେ ଭିନ୍ନେ ପାଳିତ ଦ୍ୱୟ ହେଉ ସୁପ୍ରଭା॥
ପ୍ରେମ ହୋଇ ବାଲ୍ୟ କାଳେ ଦୁହେଁ ହେଲେ ଏକ
          ପୀରତି ପ୍ରାଚୀରେ ବିହି ପୂତରେଖା ଥୋକ॥
ଖାରବେଳ ନଗରୀ ଏ ଯଯାତି ନଗରୀ
          ପୁରୁଷ ଉତ୍ତମେ ସିଦ୍ଧ ଦିବସ ଶର୍ବରୀ ॥
ଗଙ୍ଗା ଠାରୁ ଗୋଦାବରୀ ଯହିଁ ହେଲା କେନ୍ଦ୍ର
          ଗୌଣଠାରୁ ମହାଜନେ ଶୁଭେ ହର୍ଷ ମନ୍ଦ୍ର॥
ମନ୍ଦିର ମନ୍ଦିରେ ବାସ ଦିବ୍ୟ ମୂର୍ତ୍ତି ଦକ୍ଷ
          ଇତିହାସ ଇତିହାସେ ଲିପିବଦ୍ଧ ମୁଖ୍ୟ॥
ଅଶୋକ ଚଣ୍ଡାଳରୁ ହୋଇଲେ ଶାନ୍ତିକାମୀ
          ଅକ୍ଷୁଣ୍ଣ ମଣି ଜଗତେ ବୌଦ୍ଧିକ ଅନୁଗାମୀ॥
ଖଣ୍ଡଗିରି ପରବତେ ଜୈନ ଧର୍ମ ପୂତ
          ଖେଳନ୍ତେ ଭକତି ହର୍ଷ ହୋଇ ଏକୀକୃତ॥
ଉଦୟଗିରି ପର୍ବତେ ହାତୀଗୁମ୍ଫା ପୁଣ
          ଯହିଁ ବୌଦ୍ଧ ଧର୍ମୀ ଜପେ ଦିବ୍ୟ ମନ୍ତ୍ର ମାନ॥
ମନ୍ଦିରେ ମନ୍ଦିରେ ବସେ ଶଙ୍କରଙ୍କ ଯୋନି
          ମରାଳ ମରାଳେ ଦିଶେ ମୁକ୍ତା ସମ ମଣି॥
ଧଉଳି ବିହିଲା ଶିରେ ଶାନ୍ତିର ଆଳୟ
          ଧୌତ ହୁଏ ଯହିଁ ରାଗ ଦ୍ୱେଷ ଦମ୍ଭେ କାୟ॥
ପଦ୍ମପତ୍ର ତୋୟେ ଦିଶନ୍ତି ଭୁବନେଶ୍ୱର
          ପୌଗଣ୍ଡ ଅତିବାହିତ ଆନନ୍ଦେ କୈଶୋର॥
ଭଲ୍ଲିକ ତପଷୁ ଶାକ୍ୟ ମୁନିଙ୍କର ବାସ
          ଭୋଳେ ପ୍ରାପ୍ତ କଲେ ସିଦ୍ଧି କରିଲେ ମାନସ॥
ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ସନ୍ନିକଟେ
          ଅବସ୍ଥିତ ଥିଲା ଜ୍ଞାନବନ୍ତ ଜନ ପଟ୍ଟେ॥
ଆମ୍ବ ପଣସ କରଞ୍ଜ ତମାଳ ବଉଳ
          ଅଶ୍ୱତ୍ଥ କୋଚିଲା ବର ନାଗେଶ୍ୱର ବେଲ॥
ଏମନ୍ତେ ନାନା ଉଦ୍ଭିଦେ ଥିଲା ପରିପୂର୍ଣ୍ଣ
          ଏକେ ଲବେ ଲଭିଲାକ ପ୍ରସିଦ୍ଧି ସମ୍ପୂର୍ଣ୍ଣ॥
ଏଠାରେ ରହିଛି କେତେ ମନ୍ଦିର ଅସଂଖ୍ୟ
          ଗଣ୍ୟ ହେବା କେବେ ଗଣେ ହୋଇଅଛି ମୁଖ୍ୟ॥
ମେଘେଶ୍ୱର ରାମେଶ୍ୱର ଭାସ୍କର ଈଶ୍ୱର
          ବୈତାଳ ଦଧିବାମନ ଦେଉଳ ଭାସ୍ୱର॥
ରାଜରାଣୀ ମୁକ୍ତେଶ୍ଵର କପିଳ ଈଶ୍ୱର
          ଅନନ୍ତ ଯେ ବାସୁଦେବ ଭୀମେଶ ମନ୍ଦିର॥
ଏମନ୍ତ ଅଶେଷ ଗାଥାର ହୋଇଲା ଇତି
          ଅମ୍ରିତେଶ ସଂପୂର୍ଣ୍ଣ କରି ନ ପାରି ସ୍ତୁତି॥
ସମୟେ ସମୟେ କହେ ହୁଏ ମୁଁ ବିଲୟ
          ମାତ୍ର ଯଶବନ୍ତ ଅଟେ ଏହି ପୁଣ୍ୟାଳୟ॥
କହି ନ ପାରି ଗାଥା ଯେ ଏହାର ଅଶେଷ
          କରୁଅଛି ଏହି ଠାରେ ଗାଥାକୁ ମୁଁ ଶେଷ॥


ଶବ୍ଦାର୍ଥ
ଅଭ୍ୟର୍ଥି - ଅଭ୍ୟର୍ଥନା କରି, ସମାଦର କରିବା, ଏକ କ୍ଷେତ୍ର ରସେ - (ରଚନା ସମୟରେ) ଏକମନସ୍କ ହୋଇ, ଏକାମ୍ର ପ୍ରାଙ୍ଗଣେ - ଏକାମ୍ର କ୍ଷେତ୍ରରେ, ବୀଚି - ଲହଡ଼ି ବା ତରଙ୍ଗ, ଉତ୍ତୁଙ୍ଗ - ଉଚ୍ଚ, ସୁର - ଦେବତା, ସ୍ଵାୟଂଭୂବ - ଯିଏ ନିଜେ ଜନ୍ମ ଗ୍ରହଣ କରିପାରେ, ଯତିପତି - ମୁନିଶ୍ରେଷ୍ଠ, ଅଜ - ଯାହାର ଜନ୍ମ ନାହିଁ, ଶାଶ୍ଵତ - ଯାହା ସଦା ସତ୍ୟ ଓ ନିତ୍ୟ, ଏକାମ୍ର କାନନ - ପୁରୁଣା ଭୁବନେଶ୍ୱରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରକୁ ପୂର୍ବେ ଏକାମ୍ର କାନନ କୁହାଯାଉଥିଲା, ନୃପ - ରାଜା, ପୃଚ୍ଛନ୍ତେ - ପଚାରିଲେ, ଭକତ କଳତ୍ର - ଭକ୍ତ ପାଇଁ ଯାହା ସମ୍ପତ୍ତି, ଭକ୍ତିଭାବ, ସୁପ୍ରଭା - ସମୁଜ୍ଜ୍ଵଳ, ବିହି - ସମ୍ପାଦନ କରି, ପୂତ ରେଖା - (ଏଠାରେ) ପବିତ୍ର ସମ୍ପର୍କ ମଝିରେ ଗଢିଉଠିଥିବା ପାଚେରି, ପୂତମୁଖ - ପବିତ୍ର ମୁହଁ, ଯାହାକୁ ଦେଖିଲେ ମନ ପବିତ୍ର ହୁଏ, ଶର୍ବରୀ - ରାତି, ଗୌଣଠାରୁ ମହାଜନେ - ଛୋଟରୁ ବଡ଼, ନୀଚରୁ ଉଚ୍ଚ, ସମସ୍ତେ, ହର୍ଷ ମନ୍ଦ୍ର - ଆନନ୍ଦ ଜନିତ ଧ୍ଵନିପ୍ରତିଧ୍ଵନି, ମରାଳ - ରାଜହଂସ, ତୋୟେ - ପାଣିରେ, ପୌଗଣ୍ଡ - ତରୁଣାବସ୍ଥା, ଭଲ୍ଲିକ ତପଷୁ - ଦୁଇ ବୌଦ୍ଧ ସନ୍ନ୍ୟାସୀଙ୍କ ନାମ ଥିଲା, ଜନ ପଟ୍ଟେ - ଲୋକଙ୍କ ମନରେ, ଭୀମେଶ ମନ୍ଦିର - ଲିଙ୍ଗରାଜ ମନ୍ଦିରରୁ ଦୂରରେ ଥିବା ଭୀମେଶ୍ଵର ମନ୍ଦିର


ଫଟୋ ସେଟ୍ ୧ : ବାମପାର୍ଶ୍ଵ ଫଟୋରେ ଅମ୍ରିତେଶ ୨୦୧୯ ମସିହା ମାର୍ଚ୍ଚ ୨୧ ତାରିଖରେ 'ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନ' ଦ୍ଵାରା ଆୟୋଜିତ 'ଶାସ୍ତ୍ରୀୟ ଓଡ଼ିଆ ଦିବସ' ରେ ପ୍ରବନ୍ଧ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଦକ୍ଷିଣପାର୍ଶ୍ଵ ଫଟୋରେ ୨୦୧୯ ମସିହା ସେପ୍ଟେମ୍ବର ୮ ତାରିଖରେ ଦୈନିକ ସମ୍ବାଦପତ୍ର 'ସମ୍ବାଦ' ପକ୍ଷରୁ ଡି.ଏ.ଭି. ସ୍କୁଲ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ଆୟୋଜିତ 'ଭାଷାଜ୍ଞାନ' ପ୍ରବନ୍ଧ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।

ଫଟୋ ସେଟ୍ ୨ : ବାମପାର୍ଶ୍ଵ ଫଟୋରେ ଅମ୍ରିତେଶ ୨୦୧୯ ମସିହା ଡିସେମ୍ବର ୩ ତାରିଖରେ 'ଭାରତ ବିକାଶ ପରିଷଦ' ପକ୍ଷରୁ ପୁରୀରେ ଆୟୋଜିତ 'ଭାରତ କୋ ଜାନୋ' (Bharat Ko Jano) କୁଇଜ୍ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେଇଛନ୍ତି । ଦକ୍ଷିଣପାର୍ଶ୍ଵର ଉପର ଫଟୋରେ ୨୦୧୮ ମସିହା ଅକ୍ଟୋବର ୧୩ ତାରିଖରେ ରାଜ୍ୟ ମହାଡାକପାଳ ଦ୍ଵାରା ଆୟୋଜିତ ଭୁବନେଶ୍ୱର ସ୍ତରୀୟ 'ଫିଲାଟେଲି ସାଧାରଣ ଜ୍ଞାନ' (Philately Week, India Post) ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେଇଛନ୍ତି ।

ଫଟୋ କ୍ରେଡିଟ୍ : ଅମ୍ରିତେଶ ଖଟୁଆ

ବି.ଦ୍ର : ଉଲ୍ଲେଖଯୋଗ୍ୟ କି ଏହି ଲେଖାଟି ପ୍ରକାଶ ପାଇବା ସମୟରେ (ଅପ୍ରେଲ ୨୦୨୦) ଅମ୍ରିତେଶ ଖଟୁଆ ଜଣେ ଦଶମ ଶ୍ରେଣୀର ଛାତ୍ର । ତୁଳସୀ ଦୁଇପତ୍ରରୁ ବାସିଲା ପରି ଅମ୍ରିତେଶ ତାଙ୍କ ଲେଖା ପାଇଁ ଏ ପର୍ଯ୍ୟନ୍ତ ବହୁ ପୁରସ୍କାର ପ୍ରାଇସାରିଲେଣି । "ଦି ସ୍ମରଣିକା" ପରିବାର ଏହି ଉଦୀୟମାନ ପ୍ରତିଭାଙ୍କର ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଆ ଭାଷାକୁ ତାଙ୍କର ଲେଖନୀ ଆହୁରି ଋଦ୍ଧିମନ୍ତ କରୁ ଏହା ହିଁ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛି ।



Keywords: Amritesh Khatua, Bhubaneshwar


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ