YouTube ରେ ଭଜୁକିନା ରାମନାମରେ କୁମର
VIDEO
ଗୋବିନ୍ଦଚନ୍ଦ୍ର ଙ୍କ ମାତା ମୁକ୍ତା ଦେବୀ
ଭଜୁକିନା ରାମନାମ ରେ କୁମର,
ଜପୁକିନା ରାମନାମ
ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ,
ବାନ୍ଧିନେବ କାଳଯମ ରେ କୁମର
ବାନ୍ଧିନେବ କାଳଯମ ॥୧॥
ସେହି କାଳଯମ ବଡ଼ ଦାରୁଣରେ,
ନ ଜାଣଇ ଦୁଃଖ ସୁଖ
ବାଛି ନେବ କଞ୍ଚା ରଖିବ ପାଚିଲା,
ଦେବଟି ଦାରୁଣ ଦୁଃଖ ରେ କୁମର
ଦେବଟି ଦାରୁଣ ଦୁଃଖ ॥୨॥
ଭଗ୍ନୀ ରାଣୀ ତୋର କରିବେ ରୋଦନ,
ଆବୋରିବେ ଷଢ଼ ମାସ
ଘରର ଘରଣୀ କାନ୍ଦିବ ଯେ ବସି,
ଲୋଡ଼ିବ ଯେ ଅନ୍ୟ ବାସ ରେ କୁମର
ଲୋଡ଼ିବ ଯେ ଅନ୍ୟ ବାସ ॥୩॥
ମାତା ଗର୍ଭଧାରୀ ନିରତେ କାନ୍ଦିବ,
ମରିବାର ଯୁଗାନ୍ତର
କେ କାନ୍ଦିବ ଦିନ ଦଶ ରେ କୁମର,
କେ କାନ୍ଦିବ ଦିନ ବାର ରେ କୁମର
କେ କାନ୍ଦିବ ଦିନ ବାର ॥୪॥
ମୁହିଁ ମାତା ତୋର ନିରତେ କାନ୍ଦିବି,
ମରିବାର ଯୁଗାନ୍ତର
ମୁଁ ତେଣୁ ବୋଲଇ ଗୋବିନ୍ଦଚନ୍ଦ୍ରରେ,
କାଲି ଯାଅ ଯୋଗୀଘର ରେ କୁମର
କାଲି ଯାଅ ଯୋଗୀଘର ॥୫॥
ତୁହି ଯୋଗୀଘର ଗଲେରେ କୁମର,
ମୋତେଟି ପରମ ସୁଖ
ଚାରିଯୁଗେ ବଳା ହେବୁରେ ଅମର,
ଚାହୁଁଥିବି ତୋର ମୁଖ ରେ କୁମର
ଚାହୁଁଥିବି ତୋର ମୁଖ ॥୬॥
କି କରିବେ ତୋର ମାୟାସ୍ତିରୀ ମାନେ,
ମାୟାରେ ହେବୁରେ ଭୋଳ
ଆଜି ମଲେ କାଲି ହେବ ଦୁଇ ଦିନ,
ଏ ସବୁ ମିଥ୍ୟା ସଂସାର ରେ କୁମର
ଏ ସବୁ ମିଥ୍ୟା ସଂସାର ॥୭॥
ପକାଇ ଆସିବେ ମଶାଣି ଭୁଇଁରେ,
ଦୁଆରେ ଦେବେ ଗୋବର
ମଲା ଗଲା ବୋଲି ଦି’ଘଡ଼ି କାନ୍ଦିବେ,
ଜଣେ ନ ଯିବେ ସଙ୍ଗର ରେ କୁମର
ଜଣେ ନ ଯିବେ ସଙ୍ଗର ॥୮॥
ଆସିବାର ବେଳେ ଏକାରେ କୁମର,
ଗଲାବେଳେ ଯିବୁ ଏକା
ମଲେ ତୋର ସଙ୍ଗେ ଜଣେ କେ ନ ଯିବ,
ଧର୍ମ ଥିଲେ ହେବ ସଖା ରେ କୁମର
ଧର୍ମ ଥିଲେ ହେବ ସଖା ॥୯॥
ଯାହା ଦେବୁ ହସ୍ତ ଟେକିରେ କୁମର,
ଯାହା ଦେବୁ ହସ୍ତ ତୋଳି
ଡାହାଣ ହସ୍ତରେ ଯେ ଧର୍ମ କରିବ,
ହେବ ପଥକୁ ସଙ୍ଖାଳି କୁମର
ହେବ ପଥକୁ ସଙ୍ଖାଳି ॥୧୦॥
ଗୋବିନ୍ଦଚନ୍ଦ୍ର
ସେତେବେଳେ ପୁତ୍ର ଦେଉଛି ଉତ୍ତର,
ଶୁଣ ଗୋ ଜନନୀ ତୁହି
ତୋହ ମନେ ଯେବେ ଥିଲାଲୋ ଜନନୀ,
ଯୋଗୀ କରିଦେବା ପାଇଁ ଲୋ ଜନନୀ
ଯୋଗୀ କରିଦେବା ପାଇଁ ॥୧୧॥
ଅଜ୍ଞାନ ବେଳରେ ବାଳୁତ କାଳରେ,
ଯୋଗୀ ନ କଲୁ କିମ୍ପାଇ
ଏତେବେଳେ ମାତା ମୋ ସଙ୍ଗେ ଲାଗିଛୁ,
ରାଜା ଯିବ ଯୋଗୀହୋଇ ଲୋ ଜନନୀ
ରାଜା ଯିବ ଯୋଗୀହୋଇ ॥୧୨॥
ଗୋବିନ୍ଦଚନ୍ଦ୍ର ଙ୍କ ମାତା ମୁକ୍ତା ଦେବୀ
ପାଣି ରହୁ ବନ୍ଧ ବାନ୍ଧରେ କୁମର
ପୁରି ରହୁ ସରୋବର
ପାଣି ଶୁଖିଗଲେ ତୋ ହଂସା ଉଡ଼ିବ
ପିଣ୍ଡ ହେବ ନାରଖାର ରେ କୁମର
ପିଣ୍ଡ ହେବ ନାରଖାର ॥୧୩॥
ପାଣି ସିନା ରହେ ଗଭୀର ତଡ଼ାପେ
ମୀନ ରହେ ସେହିଠାରେ
ମାତା ସିନା ଜାଣେ ପୁତ୍ରର ବେଦନା
ହୃଦ ପୋଡ଼େ ନିରନ୍ତରେ ରେ କୁମର
ହୃଦ ପୋଡ଼େ ନିରନ୍ତରେ ॥୧୪॥
ଗହନ ବନସ୍ତ ପୋଡ଼ିଲେ ଧନରେ
ଜନ ଜଗତ ଜାଣନ୍ତି
ମାତା କ୍ଷୀରବତୀ ହୃଦୟ ପୋଡ଼ିଲେ
ତାହା କେହି ନ ଜାଣନ୍ତି ରେ କୁମର
ତାହା କେହି ନ ଜାଣନ୍ତି ॥୧୫॥
ତୋହରି ପାଇଁକି କୁମରମଣିରେ
କେତେ କଷ୍ଟ କରି ନାହିଁ,
ଦାଣ୍ଡ ଖରକଇ, ଚଉରା ଲିପଇ,
ଶତପୁତ୍ର ହେବା ପାଇଁ ରେ କୁମର
ଶତପୁତ୍ର ହେବା ପାଇଁ ॥୧୬॥
ତୋହରି ପାଇଁକି କୁମରମଣିରେ
ଚଇତ୍ର ମଙ୍ଗଳବାର,
ବାର ବର୍ଷ ପରିଯନ୍ତରେ କୁମର,
ବସି ଜାଳଇ ଜାଗର ରେ କୁମର
ବସି ଜାଳଇ ଜାଗର ॥୧୭॥
ତୋହରି ପାଇଁକି କୁମରମଣିରେ
ଦାଣ୍ଡେ ପନ୍ଥାଇ ପୁଜିଲି,
ତୋହରି ପାଇଁକି କୁମରମଣିରେ,
ଶ୍ରୀପୁରୁଷୋତ୍ତମ ଗଲି ରେ କୁମର
ଶ୍ରୀପୁରୁଷୋତ୍ତମ ଗଲି ॥୧୮॥
ତୋହରି ପାଇଁକି କୁମରମଣିରେ
ଭୁବନେଶ୍ୱରକୁ ଗଲି,
ଭୁବନେଶ୍ୱରରେ ମରିଚି କୁଣ୍ଡରେ
ତହିଁ ସ୍ନହାନ ସାରିଲି ରେ କୁମର
ତହିଁ ସ୍ନହାନ ସାରିଲି ॥୧୯॥
ସ୍ନାହାନ ସାରିଣ କୁମରମଣିରେ
ବଡ଼ଦେଉଳେ ପଶିଲି,
ବଡ଼ ଦେଉଳରେ ବଡ଼ ଲିଙ୍ଗରାଜ
ତାହାଙ୍କୁ ଦର୍ଶନ କଲି ରେ କୁମର
ତାହାଙ୍କୁ ଦର୍ଶନ କଲି ॥୨୦॥
ଯୋଡ଼ା ଯୋଡ଼ା କରି ଶହେ ଯୋଡ଼ା ନୀର
ଈଶ୍ୱର ଶିରେ ଢାଳିଲି,
ଲକ୍ଷେ ବେଲ ପତ୍ର ଦିଲକ୍ଷ ଗୟସ
ଶମ୍ଭୁ ଶିରେ ଚଢ଼ାଇଲି ରେ କୁମର
ଶମ୍ଭୁ ଶିରେ ଚଢ଼ାଇଲି ॥୨୧॥
ଅରୁଆ ଚାଉଳ କଞ୍ଚା କ୍ଷୀର ନେଇ
ପାର୍ବତୀଙ୍କୁ ପୂଜା କଲି,
ଗୋଟି ଗୋଟି କରି କୋଟି କୋଟି ଚମ୍ପା
ଶମ୍ଭୁ ଶିରରେ ମୁଁ ଦେଲି ରେ କୁମର
ଶମ୍ଭୁ ଶିରରେ ମୁଁ ଦେଲି॥୨୨॥
ଅତି ଭକ୍ତିଭରେ ଶୋଇଲଇଁ ମୁହିଁ
ତାହାଙ୍କର ପାଦ ପତେ,
ଈଶ୍ୱର ପାର୍ବତୀ ଦୁହେଁ ବର ଦେଲେ
ଗର୍ଭରେ ଧଇଲି ତୋତେ ରେ କୁମର
ଗର୍ଭରେ ଧଇଲି ତୋତେ ॥୨୩॥
ତିନି ମାସ କାଳ ମୋ ଗର୍ଭେ ରହିଲୁ
ନିଶି ଦିବା ଗଣୁଥାଇ,
ଚାରି ମାସ ଯହୁଁ ହୋଇଲା ବଳାରେ
ମୁଖୁ ଉଠିଲା ଯେ ହାଇ ରେ କୁମର
ମୁଖୁ ଉଠିଲା ଯେ ହାଇ॥୨୪॥
ପାଞ୍ଚ ମାସ ବଳା ମୋ ଗର୍ଭେ ରହନ୍ତେ
ତୁଣ୍ଡ ସୁଆଦ ଲୋଡ଼ଇ,
ଷଡ଼ ମାସ ଯହୁଁ ହୋଇଲା ବଳାରେ
ଉଠି ବସି ନ ପାରଇ ରେ କୁମର
ଉଠି ବସି ନ ପାରଇ ॥୨୫॥
ସପ୍ତ ମାସ ଯହୁଁ ହୋଇଲା ଗର୍ଭରେ
ଭୂମିଶାୟୀ ମୁହିଁ ହେଲି,
ଅଷ୍ଟ ମାସ ହୋଇବାରୁ ବାପଧନ
ଆଣ୍ଠୋଇ ବାଟ ଚାଲିଲି ରେ କୁମର
ଆଣ୍ଠୋଇ ବାଟ ଚାଲିଲି॥୨୬॥
ନବ ମାସ ଯହୁଁ ହୋଇଲା ଧନରେ
ନବ ଦିନ ଯାତ୍ରା କଲି,
ଏହି ପରକାରେ କେତେ କଷ୍ଟମାନ
କୁମର ମୁହିଁ ପାଇଲି ରେ କୁମର
କୁମର ମୁହିଁ ପାଇଲି ॥୨୭॥
ଦଶ ମାସ ଦଶ ଦିବସ ପୁରନ୍ତେ
ପୃଥୀବିରେ ଜନ୍ମ ତୋର,
ତୁହି ଜେତେବେଳେ ଜନମ ହୋଇଲୁ
ଚେତେ ହଜିଗଲା ମୋର ରେ କୁମର
ଚେତେ ହଜିଗଲା ମୋର ॥୨୮॥
ସେହି ସମୟରେ କୁମରମଣିରେ
ପୋଇଲିମାନେ ଯେ ନେଲେ,
ତାଙ୍କର ହସ୍ତରେ ସୁନା ଶାମୁକାରେ
ବସି ତୋ ନାଭି କାଟିଲେ ରେ କୁମର
ବସି ତୋ ନାଭି କାଟିଲେ ॥୨୯॥
ଚନ୍ଦନର କାଠ ଗୁଡ଼ିଏ ଆଣିଣ
ଦେଲେ ଅନ୍ତୁଡ଼ି ଲଗାଇ,
ତଳେ ନ ପଡ଼ୁଣୁ କୁମରମଣିରେ
ସେକିସାକି ଦେଲେ ଶୋଇ ରେ କୁମର
ସେକିସାକି ଦେଲେ ଶୋଇ॥୩୦॥
ତୋର ପାଞ୍ଚଦିନେ କୁମରମଣିରେ
ପଞ୍ଚୁଆତି କରାଇଲି,
ଷଷ୍ଠ ଦିନେ ବଳା ଗୋବିନ୍ଦଚନ୍ଦ୍ରରେ
ଷଷ୍ଠି ଘର ତୋଳାଇଲି ରେ କୁମର
ଷଷ୍ଠି ଘର ତୋଳାଇଲି ॥୩୧॥
ସପ୍ତମ ଦିନରେ ବଳା ରାଜନରେ
ଉଠିଆରି ଘର କଲି,
ବାର ରାତ୍ର ଦିନ କୁମରମଣିରେ
ଧୋବାତୁଠ ଜୁର କଲି ରେ କୁମର
ଧୋବାତୁଠ ଜୁର କଲି ॥୩୨॥
ଏକୋଇଶ ଦିନେ ବଳା ରାଜନରେ
ଋଷି ବାକ୍ୟ କରାଇଲି,
ନାୟକ ପଣ୍ଡିତ ଦୁହିଁଙ୍କୁ ଡକାଇ
ରାଶି ନାମ ଗଣାଇଲି ରେ କୁମର
ରାଶି ନାମ ଗଣାଇଲି ॥୩୩॥
ନାୟକ କହିଲା ଏକବିଂଶ ବର୍ଷେ
ମରଣ ରିଷ୍ଟ ତୋହର,
ଏହା ଯେଉଁକ୍ଷଣି ଶୁଣିଲି ଧନରେ
ଚେତା ବୁଡ଼ିଗଲା ମୋର ରେ କୁମର
ଚେତା ବୁଡ଼ିଗଲା ମୋର ॥୩୪॥
ଗୋବିନ୍ଦଚନ୍ଦ୍ର
ମୋର ବୋଲ କର କୁମରମଣିରେ
କାଲି ଯାଅ ଯୋଗୀ ହୋଇ,
ସେତେବେଳେ ପୁତ୍ର ଦିଅଇ ଉତ୍ତର
ଶୁଣ ଗୋ ଜନନୀ ତୁହି ଲୋ ଜନନୀ
ଶୁଣ ଗୋ ଜନନୀ ତୁହି ॥୩୫॥
ଯୋଗୀର ଯେତେକ ସମ୍ପଦ ମାଆଲୋ
କାଲି ଆଣିଦେବୁ ମୋତେ,
ରୁଦ୍ରାକ୍ଷର ମାଳା ଢାଉରଙ୍ଗ ପାଗ
ଦେବୁ ତୁ କାଲି ପ୍ରଭାତେ ଲୋ ଜନନୀ
ଦେବୁ ତୁ କାଲି ପ୍ରଭାତେ ॥୩୬॥
ଗୋବିନ୍ଦଚନ୍ଦ୍ର ଙ୍କ ମାତା ମୁକ୍ତା ଦେବୀ
ଜନନୀ ବୋଇଲେ ନୁହଁଇ ଏପରି
ଶୁଣ ତୁହି ମନଦେଇ,
ଗୁରୁ ବିନା କାହିଁ ହୋଇବଟି ସିଦ୍ଧ
ଗୁରୁପାଦେ ଥିବୁ ଧ୍ୟାୟୀ ରେ କୁମର
ଗୁରୁପାଦେ ଥିବୁ ଧ୍ୟାୟୀ ॥୩୭॥
ପୁତ୍ର ବୋଲେ ଗୁରୁ କହିଦିଅ ମାତ
ଭଜିବି ତାହାର ପାଦ,
ତାହା ଶୁଣି ମାତା ବୋଲନ୍ତି ବଚନ
ଧ୍ୟାୟିବୁ ହରି ଗୋବିନ୍ଦ ରେ କୁମର
ଧ୍ୟାୟିବୁ ହରି ଗୋବିନ୍ଦ ॥୩୮॥
ଗୋବିନ୍ଦ ତୁ ଶୁଣ ଯେବଣ ହାଡ଼ିପା
ଖଟୁଅଛି ବାଡ଼ି ତାଟି,
ନିରନ୍ତର ତୁହି ତାଙ୍କୁ ସେବାକର
ଚରଣ ତଳରେ ଲୋଟି ରେ କୁମର
ଚରଣ ତଳରେ ଲୋଟି ॥୩୯॥
ସେହି ଯଦି ତୋତେ ପ୍ରସନ୍ନ ହୋଇବେ
ଛାଡ଼ିବ କାଳ ସମନ,
ଯମର ପାଶରୁ ମୁକତ ହୋଇବୁ
ହରିପଦେ ହେବୁ ଲୀନ ରେ କୁମର
ହରିପଦେ ହେବୁ ଲୀନ ॥୪୦॥
ଏବେ ଚାଲ ବାବୁ ଗୁରୁଙ୍କୁ ଦେଖିବା
କିପରି ଅଛନ୍ତି ସେହି,
ଏତେ ବୋଲି ମାତା ପୁତ୍ରକୁ ଘେନିଣ
ରାତ୍ରରେ ବାହାର ହୋଇ ରେ କୁମର
ରାତ୍ରରେ ବାହାର ହୋଇ ॥୪୧॥
ସଙ୍ଗତରେ ଆଉ କାହାକୁ ନ ନେଇ
ଫୁଲ ଚାଙ୍ଗୁଡ଼ି ଧଇଲେ,
ଚନ୍ଦନ କର୍ପୁର ଗୋଳା ହୋଇଅଛି
ହାଡ଼ିପା ଦ୍ୱାରେ ମିଳିଲେ ହୋ ସୁଜନେ
ହାଡ଼ିପା ଦ୍ୱାରେ ମିଳିଲେ ॥୪୨॥
ଗୋବିନ୍ଦଚନ୍ଦ୍ର ଙ୍କ ଗୁରୁ ହାଡ଼ିପା
ଜାଣିଣ ହାଡ଼ିପା ଘରୁ ବାହାରିଲେ
ମିଳିଲେ ତାଙ୍କର ପାଶ,
ଦେଖିଣ ଗୋବିନ୍ଦ ଫୁଲ ଚାଙ୍ଗୁଡ଼ିକୁ
ଥୋଇ ହୋଇଲେ ହରଷ ହୋ ସୁଜନେ
ଥୋଇ ହୋଇଲେ ହରଷ ॥୪୩॥
ହାଡ଼ିପା ଚରଣ ଧରି ଓଳଗିଣ
ବୋଇଲେ ତୁମ୍ଭ ଶରଣ,
ଦେଖିଣ ହାଡ଼ିପା ମନରେ ଯେ ଭୀତ
ଜାତ ହୋଇଲା ତକ୍ଷଣ ହୋ ସୁଜନେ
ଜାତ ହୋଇଲା ତକ୍ଷଣ॥୪୪॥
ଗୋବିନ୍ଦଚନ୍ଦ୍ର ଙ୍କ ମାତା ମୁକ୍ତା ଦେବୀ
ବୋଲନ୍ତି ମୁକୁତା ଶୁଣ ମହାଜ୍ଞାତା
ଗୋବିନ୍ଦକୁ ଶିଷ୍ୟ କର,
ମନ୍ତ୍ର ଦିଅ ତାକୁ ମହାମାୟା ଫାସ
ଛେଦି ହେଉ ଅଜ୍ରାମର ଗୁରୁଦେବ
ଛେଦି ହେଉ ଅଜ୍ରାମର ॥୪୫॥
ଗୋବିନ୍ଦଚନ୍ଦ୍ର ଙ୍କ ଗୁରୁ ହାଡ଼ିପା
ହାଡ଼ିପା ବୋଇଲେ ଶୁଣ ଗୋବିନ୍ଦରେ
କଷ୍ଟ ତୁ ସହ୍ୟ କରିବୁ,
ମନ ଦୃଢ଼ କରି ରାଜ୍ୟକୁ ପାଶୋରି
ଯେବେ ତୁ ସବୁ ଛାଡ଼ିବୁ ରେ ଗୋବିନ୍ଦ
ଯେବେ ତୁ ସବୁ ଛାଡ଼ିବୁ ॥୪୬॥
ଲବଣୀରଠାରୁ ଶରୀର କୋମଳ
ଅଟଇ ତୋହର ପୁଣି,
ଶ୍ମସାନ ଭୂମିରେ ଏକାନ୍ତେ ବୁଲିବୁ
ଏହା ମୋହର ଭାଳେଣି ରେ ଗୋବିନ୍ଦ
ଏହା ମୋହର ଭାଳେଣି ॥୪୭॥
ଗ୍ରାମେ ନ ଭୁଞ୍ଜିବୁ ଯାନେ ନ ଚଢ଼ିବୁ
ଶୋଷେ ନ ଭକ୍ଷିବୁ ନୀର,
ଯେଉଁ ହରି ନାମ ମୁକତି ପଶରା
ଲଭିଲେ ହୋଇବୁ ଚିର ରେ ଗୋବିନ୍ଦ
ଲଭିଲେ ହୋଇବୁ ଚିର ॥୪୮॥
ଗୋବିନ୍ଦଚନ୍ଦ୍ର
ବୋଲନ୍ତି ଗୋବିନ୍ଦ ଶୁଣ ମହାଗୁରୁ
ପାଇବି ପରମ ଗତି,
ଶ୍ରୀଚରଣ ତଳେ ଶରଣ ପଶିଲି
ରଖ ତୁମ୍ଭେ ମହାଯତି ମହାଗୁରୁ
ରଖ ତୁମ୍ଭେ ମହାଯତି ॥୪୯॥
ସାଧିବି ମୁଁ ଯେ ଲଭିବି ସୁଯୋଗ
କର୍ଣ୍ଣ ପଥରେ ଶୁଣିଣ,
ଛାଡ଼ିଲି ସମ୍ପତ୍ତି ତେଜ୍ୟ କଲି ପୃଥ୍ୱୀ
ଲଭି ତୁମ୍ଭର ଚରଣ ମହାଗୁରୁ
ଲଭି ତୁମ୍ଭର ଚରଣ ॥୫୦॥
ଗୋବିନ୍ଦଚନ୍ଦ୍ର ଙ୍କ ଗୁରୁ ହାଡ଼ିପା
ହାଡ଼ିପା ତାହାର ମନ ମଧ୍ୟେ ସାର
ବୁଝି ବୋଲଇ ବଚନ,
ଆସ ଗୋବିନ୍ଦାଇ ମନ୍ତ୍ର ଦେବି କହି
କର୍ଣ୍ଣ ଗହ୍ୱର ମଧ୍ୟେଣ ରେ ଗୋବିନ୍ଦ
କର୍ଣ୍ଣ ଗହ୍ୱର ମଧ୍ୟେଣ ॥୫୧॥
ଗୋବିନ୍ଦଚନ୍ଦ୍ର
ଆସନ ସଞ୍ଚିଣ ଗୁରୁ ସୁମରିଣ
ଉର୍ଦ୍ଧ୍ୱକୁ ଦୃଷ୍ଟି ଟେକିଲା,
ଲୟ ଲଗାଅନ୍ତେ ଦେଖିଲା ସାକ୍ଷାତେ
ବ୍ରହ୍ମଜ୍ଞାନ ଦୃଶ୍ୟ ହେଲା ହେ ସୁଜନେ
ବ୍ରହ୍ମଜ୍ଞାନ ଦୃଶ୍ୟ ହେଲା ॥୫୨॥
ଗୋବିନ୍ଦଚନ୍ଦ୍ର ଯେ ମର୍ତ୍ୟମଣ୍ଡଳରେ
ଏକା ହୋଇଣ ରହିଲେ,
ଶ୍ରୀହରିନାମକୁ ଭଜନ କରିଲେ
ଗଣ୍ଡୁକ ନଦୀର ତିରେ ହୋ ସୁଜନେ
ଗଣ୍ଡୁକ ନଦୀର ତିରେ ॥୫୩॥
ଗୋବିନ୍ଦଚନ୍ଦ୍ର ଙ୍କ ଗୁରୁ ହାଡ଼ିପା
ହାଡ଼ିପା କହନ୍ତି ଶୁଣ ଗୋବିନ୍ଦାଇ
ଏବେ ତୋର କେଉଁ ଇଚ୍ଛା,
କେଉଁଠାକୁ ଯିବୁ କେଉଁଠି ରହିବୁ
କହରେ ମୋହର ବତ୍ସା ଗୋବିନ୍ଦରେ
କହରେ ମୋହର ବତ୍ସା ॥୫୪॥
ଗୋବିନ୍ଦଚନ୍ଦ୍ର
ଗୋବିନ୍ଦ କହଇ ଶୁଣ ମହାଗୁରୁ
ଆଉ କାହିଁ ଇଚ୍ଛା ନାହିଁ,
ନିରନ୍ତରେ ଏହି ଶ୍ରୀଚରଣ ସେବି
ଦିନ ହରିବି ଗୋସାଇଁ ମହାଗୁରୁ
ଦିନ ହରିବି ଗୋସାଇଁ ॥୫୫॥
ଶୁଣି ମହାଗୁରୁ ସନ୍ତୋଷ ହୋଇଣ
ବୋଲନ୍ତି ଯେ ଇଚ୍ଛା ତୋର,
ରୁହ ବାପ ତେବେ ଆନନ୍ଦେ ଏଠାରେ
ଚିନ୍ତି ହୃଦେ ଚକ୍ରଧର ରେ ଗୋବିନ୍ଦ
ଚିନ୍ତି ହୃଦେ ଚକ୍ରଧର ॥୫୬॥
ଆହେ ସାଧୁଜନ ଗୋବିନ୍ଦ ଚରିତ
ମନରେ ଭାବନା କର,
ଶ୍ରୀହରି ଭଜନ କର ସର୍ବଜନ
ହେବ ଭବକୁପୁ ପାର ସାଧୁଜନ
ହେବ ଭବକୁପୁ ପାର ॥୫୭॥
ଏ କଳି ଯୁଗରେ ଅନେକ ପ୍ରକାରେ
ପାପକୁ କରନ୍ତି ଇଚ୍ଛା,
ହିଂସା ଲୋଭ ମୋହ ମନରେ ବହିଣ
କଳିକି କରନ୍ତି ବାଞ୍ଛା ସାଧୁଜନ
କଳିକି କରନ୍ତି ବାଞ୍ଛା ॥୫୮॥
ଆହେ ଦୀନବନ୍ଧୁ ଏହି ସଙ୍କଟରୁ
ମୋତେ ଉଦ୍ଧାର କରିବ,
ତୁମ୍ଭ ପଦ୍ମପାଦେ ସେବା ନିରନ୍ତରେ
ଏହି ଅଧମକୁ ଦେବ ଦୀନବନ୍ଧୁ
ଏହି ଅଧମକୁ ଦେବ ॥୫୯॥
Comments
Post a Comment
ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...