Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ନୂଆ ଗୀତ ପଢ଼ନ୍ତୁ ଏଇଠି ➨ Smaranika.in ରେ

ପ୍ରେମଫୁଲ ଓଡ଼ିଆ କବିତା - Pemaphula Odia Kabita



ଗୀତ : ପ୍ରେମଫୁଲ
ଭାଷା : ଓଡ଼ିଆ
ଗୀତିକାର : ଲଲାଟେନ୍ଦୁ
ମସିହା : ୨୦୧୭


(ଭାଗ ୧ : ସାଥୀ ପାଇଁ ପ୍ରେୟସୀର ପକ୍ଷୀ ହାତରେ ସନ୍ଦେଶ)

କେଉଁ ଦେଶେ ଯିବୁ ପକ୍ଷୀଟିକି ଟିକି ଡେଣା ମେଲି
ଘେନି ଯା ସନ୍ଦେଶ ମୋର
ଚିଟାଉ ତୋ ହାତେ ଦେଲି ॥୧॥  

ଯେ' ଆକାଶେ ଫୁଟେ ନିତି
ଜାତି ଜାତି ପ୍ରେମ-ଫୁଲ
ସେ ଦେଶେ ଯାଇଛି ସାଥୀ
ଖୋଜି ପ୍ରେମଫୁଲ ମାଳ ॥୨॥  

ସେ ଫୁଲ ଗୋଟିଏ ପାଇଁ
ଅଝଟ ଯେ କରି ଦେଲି
ଯାଇଛି ଅବୁଝା ସାଥୀ
ହାତେ ଧରି ଫୁଲ ଥଳୀ ॥୩॥  

ପଦ୍ମ ମଧ୍ୟେ ପଦ୍ମ ଆନ
ପ୍ରେମଫୁଲ ମନଜିଣା
ଦେଖିନି କେ ଶୁଣେ କାନ
ସେ କଥା କି ତାକୁ ଜଣା !! ॥୪॥  

ପ୍ରେମ ଭୋଳେ କହି ଦେଲି
ସେ ଫୁଲ ଆଣି ଦେ ବୋଲି
ବୁଝିଲାନି ଥଟା ମଜା
ଯାଇଛି ସେ ଫୁଲ ତୋଳି ॥୫॥  

ଜହ୍ନ ମଧ୍ୟେ ଜହ୍ନ ପରି
ସେ ଫୁଲ ପାଖୁଡ଼ା ଦିଶେ
ମିଳେ ନା ତ ସରଗରେ
ମିଳିବ କି ପ୍ରେମଦେଶେ ॥୬॥  

ସାରା ରାତି ଲେଖିଛି ରେ
ଲେଖିଛି ରକତ ଢାଳି
ଘେନି ଯା ସନ୍ଦେଶ ମୋର
ଚିଟାଉ ତୋ ହାତେ ଦେଲି ॥୭॥  

ଜଳରେ ଅନଳ ଶିଖା
ପରି ଝଳେ ତା କେଶର
ନାହିଁ ତିନି ଲୋକେ ଦେଖା
ସେହି ପ୍ରେମଫୁଲ ମୋର  ॥୮॥  

ସାଥୀ ମୋର ଗଲା ଦୂରେ
ସେ ଫୁଲ  ଆଣିବ ତୋଳି
କାନ୍ଦି କାନ୍ଦି ଅନ୍ଧକାରେ
ଭାଳେ ମୁଁ ଗୋ ଏକି କଲି ॥୯॥  


(ଭାଗ ୨ : ଅବୁଝା ସାଥୀ ଫେରୁନାହିଁ, ସେଥିପାଇଁ ପକ୍ଷୀର ଭାଲେଣି)

ଶାଖୀ ଚୂଳେ ଶାଖା କୋଳେପକ୍ଷୀ ଢାଳେ ଆଖିଜଳ
ମଥିତ ‘ନଥିଲା’ ଫୁଲେ
ଫେରୁନି ପ୍ରେମପାଗଳ ॥୧୦॥  

ଖୋଜି ବୁଲେ ବନ ଗିରି
ଅଚଳ ଶିଖରୀ  ଚୂଳ
ଶୀତଳା ପାତାଳପୁରି
ଆକାଶ ବତାସ ଜଳ ॥୧୧॥  

ବ୍ୟଥିତ ଉତ୍ପତ କହେ –
“ବିଧାତା ହେ ଏ କି କଲ
ପ୍ରେମରେ ବିରହ ଦାହେ
ଯଉବନ ଜାଳି ଦେଲ” ॥୧୨॥  

ପାରିଲେନି କହି କେହି
ତରୁ ଲତା ଡାଳ ମୂଳ
କେବେ ଫୁଟେ, କେବେ ନାହିଁ
ଝଡ଼େ କେବେ ପ୍ରେମଫୁଲ ॥୧୩॥  

ଭରି ସେ ଅବୁଝା ସାଥୀ
ନୟନେ ପର୍ଜନ୍ୟ ଜଳ
ଫେରିବନି ମଥା ପୋତି
ଧରି ଶୂନ୍ୟ ପ୍ରେମଥାଳ ॥୧୪॥  

ଆହାର ବିହୁନେ ତନୁ
କୃଶ କଟୀ କରମୂଳ
ରାତି ରାତି ନାହିଁ ରତି
ନାହିଁ ଅନ୍ନ ନାହିଁ ଜଳ ॥୧୫॥  

ପକ୍ଷୀ ଭାଳେ ପ୍ରୀତି ଖେଳ
ସର୍ବ-ଗହନ-ବିଶାଳ
ନଭତଳ କି ଉତ୍ତାଳ
କି ଅତଳ ସିନ୍ଧୁଜଳ ? ॥୧୬॥  

(ଭାଗ ୩ : ପ୍ରେମର ଗୌରବ ରକ୍ଷା ପାଇଁ ପକ୍ଷୀର ନିର୍ଣ୍ଣୟ)

ଯୋଗୀ ପଢ଼େ – "ଭୋଗୀ ଆରେ !ସେ ଫୁଲ ଅମୂଲମୂଲ !
ପ୍ରେମଦେଶେ ସୋମନୀରେ
ଫୁଟେ ସେହି ପ୍ରେମଫୁଲ ॥୧୭॥  

ଆଣିବ କେ ଜଳ ସାଥେ
ଯାଇ ମାନସରୋବର ?
ବିଶ୍ରମିବ ନାହିଁ ପଥେ
ପଡ଼ିବନି ଟୋପେ ନୀର ! ॥୧୮॥  

ସେ ଜଳ ଏ ପ୍ରେମଦେଶେ
ପଡ଼ିଲେ ମେଦିନୀ ତଳ
ଟୋପିଏରେ ଶୂନ୍ୟେ ହସେ
ଗୋଟିଏ ସେ ଫୁଲ ଡାଳ ॥୧୯॥  

ଶିଡ଼ି ଥିଲେ ଯିବ ଚଢ଼ି
ଡେଣା ଥିଲେ ଯିବ ଉଡ଼ି
ଡାକିଲେ ଦି' ହାତ ଛାଡ଼ି
ସେ ଫୁଲ ପଡ଼ିବ ଝଡ଼ି" ॥୨୦॥

(ଜଣେ ଯୋଗୀ ଏହି ପରି ପୋଥି ପଢ଼ୁଥିବା ଶୁଣି)

ପକ୍ଷୀ ଭାଳେ – "ଏତେ କାଳେଜାଣି ଗଲି କଉଶଳ
ଜଳାଅ ନା ଯଉବନ
ଫୁଟାଇବି ପ୍ରେମଫୁଲ" ॥୨୧॥  

ଉତ୍ତରକୁ ଗଲା ଉଡ଼ି
ଟିକି ଟିକି ଡେଣା ଝାଡ଼ି
ବିନ୍ଦୁଏ ଚଞ୍ଚୁରେ ଭରି
ପକ୍ଷୀ ଆସିଲା ବାହୁଡ଼ି ॥୨୨॥  

ଥକି ଥକି ଆସେ ଡେଣା
ତୃଷାତୁର ବହେ ଝାଳ
ନେଇନି ବିଶ୍ରାମ ଜମା
ଢୋକିନି ଟୋପାକ ଜଳ ॥୨୩॥  

ତିନି ଦିନେ ଉଷା କାଳେ
ପ୍ରେମୀ ପାଶେ ମେଲି ପାଟି
ଟଳିଲା ସେ ଭୂମି ତଳେ
ଛାତି ତାର ଗଲା ଫାଟି ॥୨୪॥  

ଆକାଶେ ଫୁଟିଲା ଫୁଲ
ପକ୍ଷୀ ତଳେ କଲବଲ
ଉଡ଼ିଲା ସେ ଫୁଲ ଦେଖି
ଝାଡ଼ି ଦେଲା ଫୁଲ ଡାଳ ॥୨୫॥  

ପ୍ରେମୀ କହେ ବିଧାତା ହେ
ଗୁହାରି ଆଜି ଶୁଣିଲ
ଯିବି ମୋ ପ୍ରେୟସୀ ପାଶେ
ଏହି ତ ସେ ପ୍ରେମଫୁଲ ॥୨୬॥  

ଖୋଲି ନାହିଁ  ଆଖି ସେହି
ବିହଗ ଏ ମହୀ ପରେ
ସେ ଦିନୁ ବିରହ ଦେଖି
ପ୍ରେମପକ୍ଷୀ ଝୁରିମରେ ॥୨୭॥  


ଶବ୍ଦାର୍ଥ:
ଶାଖୀ= ଶାଖାଧାରୀ, ଗଛ; ମଥିତ= ଆନ୍ଦୋଳିତ, ଆତୁର; ଗିରି= ପାହାଡ଼; ଶିଖରୀ= ପର୍ବତ; ଶୀତଳା= ବାଲି-ଭୂଇଁ; ଉତ୍ପତ= ଚଢ଼େଇ; ଦାହ= ନିଆଁ, ଜ୍ଵର, ଜ୍ଵଳନ, ଉତ୍ତାପ; ପର୍ଜନ୍ୟ= ବର୍ଷା; ତନୁ= ଦେହ; କୃଶ= କ୍ଷୀଣ, ପତଳା; ସର୍ବ-ଗହନ-ବିଶାଳ= ସବୁଠୁ ଗଭୀର ଓ ବୃହଦାକାର; ଉତ୍ତାଳ= ଉଚ୍ଚ, ଡେଙ୍ଗା; ଅତଳ= ଗଭୀର, ଯାହାର ତଳ ମିଳେ ନାହିଁ


 Image : ଗୀତିକାର "ଲଲାଟେନ୍ଦୁ କବି (ବାଣୀପୁତ୍ର)"
Image Credit : ଲଲାଟେନ୍ଦୁ କବି (ବାଣୀପୁତ୍ର) 


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ..

Comments

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ - Aahe nila saila prabala matta barana Lyrics

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ - Kene Gheni Jauchha Jagannathanku Lyrics

ରୂପରେଖ ନାହିଁ ହେ ଶୂନ୍ୟଦେହୀ - Ruparekha Nahin He Shunyadehi Lyrics

ମୋ ପ୍ରଭୁ ଜଗନ୍ନାଥ ସେ ଯେ କମଳାକାନ୍ତ - Mo Prabhu Jagannatha Se Je Kamalakanta Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

ଶ୍ରିତ କମଲା କୁଚ ମଣ୍ଡଲ (ମଙ୍ଗଲ ଗୀତମ୍) ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ - Shrita Kamla Kucha Mandala (Mangala Geetam) Shri Jayadev Krita Gita Govinda Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ତୋ ଆଗରେ କିଛି ଧୂପ ମୋ ଆଗରେ କିଛି ଧୂପ - To Aagare Kichhi Dhupa Mo Aagare Kichhi Dhupa Lyrics

ଏଇଠି Click କରି ଦେଖନ୍ତୁ ଲେଖା ସମୂହର ତାଲିକା

Show more

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ