Important Notice!
Struggling to find your favourite song? Find it easily within “The Smaranika”. Click on search icon (🔍) on top right, to search. Remember, how you search within "The Smaranika" is different from how you search on Google! Know the difference on FAQ page

ମାଣବସା ଗୁରୁବାର / ଲକ୍ଷ୍ମୀ ପୁରାଣ ବହି ଗୀତ (ନମସ୍ତେ କମଳା ମାଗୋ ସାଗର ଦୁଲଣୀ) - Manabasa Gurubara / Lakhmi Purana Bahi Gita (Namaste Kamala Maago Sagara Dulani) Lyrics

== ଓଡ଼ିଆ ==

ଗୀତ : ମାଣବସା ଲକ୍ଷ୍ମୀ ପୁରାଣ (ନମସ୍ତେ କମଳା ମାଗୋ ସାଗର ଦୁଲଣୀ)
ଭାଷା : ଓଡ଼ିଆ
କଣ୍ଠ : ଗୀତା ଦାସ, ନମିତା ଅଗ୍ରୱାଲ
ଗୀତିକାର : ବଳରାମ ଦାସ
ସଙ୍ଗୀତ ନିର୍ଦ୍ଦେଶକ : ଭାରତୀକୃଷ୍ଣ
ପୋଥି / ପୁସ୍ତକ : ମହାଲକ୍ଷ୍ମୀ ପୁରାଣ
ମସିହା : ୧୯୯୨



ସ୍ତୁତି ପାଠ
§ 1 - ନାରଦ ଓ ପରାଶର ସମ୍ବାଦ (୧-୧୭) - Video Play Time: (0:00:00)
§ 2 - ମହାଲକ୍ଷ୍ମୀ ନଗର ବୁଲିଗଲେ (୧୮-୩୭) - Video Play Time: (0:05:00)
§ 3 - ମହାଲକ୍ଷ୍ମୀ ବ୍ରତ କେମିତି କରାଯାଏ ? (୩୮-୫୬) - Video Play Time: (0:09:00)
§ 4 - ଗୁରୁବାର ଦିନ ଯେଉଁ କଥା ବାରଣ ? (୫୭-୮୦) - Video Play Time: (0:11:00)
§ 5 - ଲକ୍ଷ୍ମୀଦେବୀଙ୍କ ସାଧବାଣୀକୁ ଲକ୍ଷ୍ମୀବ୍ରତ କରିବାକୁ ଉପଦେଶ (୮୧-୧୩୩) - Video Play Time: (0:18:00)
§ 6 - ଶ୍ରୀୟା ଚଣ୍ଡାଳୁଣୀ ଘରେ ମା' ଲକ୍ଷ୍ମୀ (୧୩୪-୧୭୫) - Video Play Time: (0:27:00)
§ 7 - ଜଗନ୍ନାଥଙ୍କ ଲକ୍ଷ୍ମୀଦେବୀଙ୍କୁ ତିରସ୍କାର (୧୭୬-୨୩୨) - Video Play Time: (0:33:00)
§ 8 - ଲକ୍ଷ୍ମୀଦେବୀଙ୍କ ଶ୍ରୀ ଜଗନ୍ନାଥଙ୍କୁ ଅଭିଶାପ ଓ ଶ୍ରୀମନ୍ଦିର ତ୍ୟାଗ (୨୩୩-୨୫୬) - Video Play Time: (0:50:00)
§ 9 - ଲକ୍ଷ୍ମୀଦେବୀଙ୍କୁ ବିଶ୍ୱକର୍ମା ଓ ଅଷ୍ଟ ବେତାଳଙ୍କ ସହଯୋଗ (୨୫୭-୨୯୯) - Video Play Time: (0:56:00)
§ 10 - ଜଗନ୍ନାଥ ଓ ବଳଦେବଙ୍କ ଭିକ୍ଷା କରିବାକୁ ନିଷ୍ପତ୍ତି (୩୦୦-୩୨୯) - Video Play Time: (1:02:00)
§ 11 - ଲକ୍ଷ୍ମୀଛଡ଼ା ଜଗନ୍ନାଥ ଓ ବଳଦେବଙ୍କ ହଟହଟା (୩୩୦-୩୫୮) - Video Play Time: (1:07:00)
§ 12 - ଲକ୍ଷ୍ମୀଙ୍କ ନୂଆ ଉଆସରେ ଜଗନ୍ନାଥ ଓ ବଳଦେବ (୩୫୯-୪୧୫) - Video Play Time: (1:11:00)
§ 13 - ମହାଲକ୍ଷ୍ମୀ ଜଗନ୍ନାଥ ଓ ବଳଦେବଙ୍କୁ ଭୋଜନ କରାଇଲେ (୪୧୬-୪୮୮) - Video Play Time: (1:26:00)
§ 14 - ଜଗନ୍ନାଥ ଓ ଲକ୍ଷ୍ମୀଦେବୀଙ୍କ ପୁନର୍ମିଳନ (୪୮୯-୫୧୦) - Video Play Time: (1:35:00)
§ 15 - ଲକ୍ଷ୍ମୀଦେବୀଙ୍କୁ ନେଇ ଜଗନ୍ନାଥ ବଡ଼ ଦେଉଳକୁ ବିଜେକଲେ (୫୧୧-୫୧୬) - Video Play Time: (1:39:00)
§ 16 - ଲକ୍ଷ୍ମୀ ପୁରାଣ ମାହାତ୍ମ୍ଯ (୫୧୭-୫୨୮) - Video Play Time: (1:39:00)



YouTube ରେ ମାଣବସା ଲକ୍ଷ୍ମୀ ପୁରାଣ




ସ୍ତୁତି ପାଠ

ନମସ୍ତୁଽତେ ମହାମାୟେ ଶ୍ରୀ  ପୀଠେ ସୁର ପୂଜିତେ
ଶଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମୋଽସ୍ତୁତେ ॥୧॥
ନମସ୍ତେ ଗରୁଡ଼ାରୁଢ଼େ କୋଳାସୁର ଭୟଙ୍କରୀ
ସର୍ବ ପାପ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ ॥୨॥
ସିଦ୍ଧି ବୁଦ୍ଧି ପ୍ରଦେ ଦେବୀ ଭକ୍ତି ମୁକ୍ତି ପ୍ରଦାୟିନୀ
ମନ୍ତ୍ରମୂର୍ତ୍ତେ ସଦା ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ ॥୩॥
ଆଦ୍ୟାନ୍ତେ ରହିତେ ଦେବୀ ଆଦ୍ୟାଶକ୍ତି ମାହେଶ୍ୱରୀ
ଯୋଗେନ ଯୋଗସମ୍ଭୁତେ ମହାଲକ୍ଷ୍ମୀ ନମୋଽସ୍ତୁତେ ॥୪॥
ସ୍ଥୂଳ ସୂକ୍ଷ୍ମ ମହାରୌଦ୍ରେ ମହାଶକ୍ତି ମହୋଦରେ
ମହାପାପ ହରେ ଦେବୀ ମହାଲକ୍ଷ୍ମୀ ନମୋଽସ୍ତୁତେ ॥୫॥
ପଦ୍ମାସନ ସ୍ଥିତେ ଦେବୀ ପରଂବ୍ରହ୍ମ ସ୍ୱରୂପିଣୀ
ପରମେଷ୍ଟୀ ଜଗତ୍‌ମାତ ମହାଲକ୍ଷ୍ମୀ ନମୋଽସ୍ତୁତେ ॥୬॥
ମହାଲକ୍ଷ୍ମୀଷ୍ଟକଂ ସ୍ତୋତ୍ରଂ ଯଃ ପଠେତ୍ ଭକ୍ତି ମାନ୍ନର
ସର୍ବସିଦ୍ଧି ମବାପ୍ନୋତି ରାଜ୍ୟଂ ପ୍ରାପ୍ନୋତି ସର୍ବଦା ॥୭॥
ଏକ କାଳ ପଠେନ୍ନିତ୍ଯଂ ମହାପାପ ବିନାଶନମ୍
ଦ୍ଵିକାଳଂ ଯଃ ପଠେନ୍ନିତ୍ୟ ଧନଧାନ୍ୟଂ ସମନ୍ୱିତମ୍‌ ॥୮॥
ତ୍ରିକାଳଂ ଯଃ ପଠେନ୍ନିତ୍ଯଂ ମହାଶତ୍ରୁ ବିନାଶନମ୍
ମହାଲକ୍ଷ୍ମୀ ଭବେନ୍ନିତ୍ୟଂ ପ୍ରସନ୍ନ ବରଦା ଶୁଭା ॥୯॥

Back to Top

§ 1 - ନାରଦ ଓ ପରାଶର ସମ୍ବାଦ (୧-୧୭) - Video Play Time: (0:00:00)

ନମସ୍ତେ କମଳା ମାଗୋ ସାଗର ଦୁଲଣୀ  
ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ॥୧॥
ନମସ୍ତେ କମଳା ମାଗୋ ଅତି ଦୟାବତୀ
ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ॥୨॥
ତୋର ଦୟାବଳେ ମାଗୋ ଦରିଦ୍ରଜନର
ହୁଅଇ ଅଚଳ ବିତ୍ତ ଜିଣଇ କୁବେର ॥୩॥
ତୋର ଦ୍ରୋହୀଜନେ ମାଗୋ ଅନ୍ନ ନ ମିଳଇ
ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ॥୪॥
ତୋହର ଚରିତ ମନ ଦେଇ ଯେ ଶୁଣଇ
କିଅବା ଭକତି ଭାବେ ସର୍ବଦା ଗୁଣଇ ॥୫॥
ତାହାର ଦରିଦ୍ର ପଣ ଯାଏ ଦୂର ହୋଇ
ସର୍ବଦା ପ୍ରସନ୍ନ ତାକୁ ହେଉ ମହାମାୟୀ ॥୬॥
ଏଣୁ ତୋ ଚରଣେ ମା'ଗୋ ଅଶେଷ ପ୍ରଣାମ
କରୁଛି ପୁରାଅ ବାରେ ମୋର ମନସ୍କାମ ॥୭॥
ତୋ ଚରିତ କିଞ୍ଚିତେ ମୁଁ କରିବି ରଚନ
ଜଗତ ଜନନୀ ବାରେ ଦିଅ ଦିବ୍ୟ ଜ୍ଞାନ ॥୮॥
ଦିନକେ ନାରଦ ପରାଶର ମୁନି ଦୁଇ
ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇ ॥୯॥
ସେହିଦିନ ମାର୍ଗଶୀର ମାସ ଗୁରୁବାର
ପର୍ବ ପଡ଼ିଥିଲା ସର୍ବ ପୁରବାସୀଙ୍କର ॥୧୦॥
ପ୍ରତି ଘରଦ୍ୱାର ଗୋମୟରେ ଲିପା ହୋଇ
ଲକ୍ଷ୍ମୀ ପାଦପଦ୍ମ ଚିତା ପଡ଼ିଥିଲା ତହିଁ ॥୧୧॥
ନାରୀମାନେ ସ୍ନାନ କରି ପିନ୍ଧି ଝୀନବାସ
ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ ॥୧୨॥
ବ୍ରାହ୍ମଣଙ୍କ ଠାରୁ ଯେ ଚଣ୍ଡାଳ ପରିଯନ୍ତେ
ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ ॥୧୩॥
ହୁଳହୁଳୀ ଶବଦରେ ପୁରିଛି ଗଗନ
ଦେଖି ଏ ଉତ୍ସବ ରୀତି ବିଧାତା ନନ୍ଦନ ॥୧୪॥
ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ
କହ କହ ତପୀବର ଏ କିସ ଚରିତ ॥୧୫॥
ବ୍ରାହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ
କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ ॥୧୬॥
କେଉଁ ବ୍ରତ କି ଉପାସ ଅଟେ ଏହା ନାମ
କରନ୍ତି କାହାକୁ ପୂଜା ତାର କି ନିୟମ ॥୧୭॥

Back to Top

§ 2 - ମହାଲକ୍ଷ୍ମୀ ନଗର ବୁଲିଗଲେ (୧୮-୩୭) - Video Play Time: (0:05:00)

ଏହା ଶୁଣି ପରାଶର ହୋଇ ହସ ହସ
କହନ୍ତି ବଚନ ଧୀରେ ଶୁଣ ବିଧିଶିଷ୍ୟ ॥୧୮॥
ଏ ଧାନ ମାଣିକା ଗୁରୁବାର ଯେ ଅଟଇ
ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତେ ଘଟଇ ॥୧୯॥
ସବୁ ମାସ ମାନଙ୍କରେ ମାର୍ଗଶିର ସାର
ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର ॥୨୦॥
ଲକ୍ଷ୍ମୀଙ୍କର ପ୍ରିୟ ସେହି ବାରମାନ ଜାଣ
ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ ॥୨୧॥
ଏକ ଦିନେ ଶୁକଳ ଦଶମୀ ଗୁରୁବାର
ପଡ଼ିଲେ ସୁଦଶା ବ୍ରତ ହୁଏ ସେ ଦିନର ॥୨୨॥
ଲକ୍ଷ୍ମୀଙ୍କର ଅତିପ୍ରିୟ ଅଟଇ ସେ ବ୍ରତ
ଏହା କହି ପରାଶର ହେଲେ ମୌନବ୍ରତ ॥୨୩॥
ତାହାଙ୍କୁ ପୁଛିଲେ ପୁଣି ବ୍ରହ୍ମାଙ୍କ କୁମର
ଲକ୍ଷ୍ମୀବ୍ରତ କରିଥିଲା ମର୍ତ୍ତ୍ୟେ କେଉଁ ନର ॥୨୪॥
ତହିଁରୁ ସେ ଶୁଭଫଳ କିସ ଲଭିଅଛି
ଲକ୍ଷ୍ମୀଦ୍ରୋହୀ ହୋଇକରି କେ ଦୁଃଖ ପାଇଛି ॥୨୫॥
ଏହା ସବୁ ମୋ ଆଗରେ କହ ତପୀସାଇଁ
ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ ॥୨୬॥
ନାରଦ ବଚନ ଶୁଣି ପରାଶର ମୁନି
କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ ॥୨୭॥
ଧନ୍ୟ ହେ ନାରଦ ତୁମ୍ଭ ପବିତ୍ର ଚରିତ
ଲକ୍ଷ୍ମୀବ୍ରତ କଥାରେ ଯେ ହୋଇଅଛ ରତ ॥୨୮॥
କହୁଅଛି ପୁରାତନ କଥା ଅଛି ଯାହା
ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା ॥୨୯॥
ଏକଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ
କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ ॥୩୦॥
ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ
ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲିଯିବି ମୁହିଁ ॥୩୧॥
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ରହିଁ ବୁଲିବ
ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ ॥୩୨॥
ପ୍ରଭୁଙ୍କ ମୁଖରୁ ମାତା ସମସ୍ତ ଶୁଣିଲେ
ବସ୍ତ୍ର ଅଳଙ୍କାରମାନ ଯତନେ ପିନ୍ଧିଲେ ॥୩୩॥
ନାସିକାରେ ନବରତ୍ନ ବସଣି ଖଞ୍ଜିଲେ
ଚଉସରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ ॥୩୪॥
କରରେ ବାହୁଟି ରମ୍ୟ ବଳୟ କଙ୍କଣ
ସୁନା ସୁତା ମାଣିକ୍ୟ ପଦକ ଆଭରଣ ॥୩୫॥
ବାଜେଣି ନୂପୁର ମାଳା ପୟରେ ଖଞ୍ଜିଲେ
ଏପରି ନାନା ଭୂଷଣେ ପ୍ରବେଶ ହୋଇଲେ ॥୩୬॥
ଯେବଣ ମାତାଙ୍କ ଅଧିକାର ତିନିପୁର
ଆଭରଣ କେତେ ମାତ୍ର ଦେବେ ପଟ୍ଟାନ୍ତର ॥୩୭॥

 Back to Top

§ 3 - ମହାଲକ୍ଷ୍ମୀ ବ୍ରତ କେମିତି କରାଯାଏ ? (୩୮-୫୬) - Video Play Time: (0:09:00)

ଶୁଣ ହେ ନାରଦ ମୁନି ହୋଇ ଏକ ଚିତ୍ତ
ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ମାତ ॥୩୮॥
ପ୍ରବେଶ ହୋଇଲେ ଯାଇଁ ସାଧୁର ଦୁଆରେ
ସାଧବାଣୀ ଉଭା ହୋଇଥିଲା ସେହିଠାରେ ॥୩୯॥
ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ
ଶୁଣ ଶୁଣ ସାଧବାଣୀ ହୋଇ ସ୍ଥିରମନ ॥୪୦॥
ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର
ଲିପା ପୋଛା କରିନାହୁଁ କିମ୍ପା ଘରଦ୍ୱାର ॥୪୧॥
ସାଧବାଣୀ ଏହା ଶୁଣି ପୃଚ୍ଛଇ ସେକ୍ଷଣି
କି ରୂପେ ଏ ବ୍ରତ ହୁଏ କାହା ପୂଜା ପୁଣି ॥୪୨॥
ବୁଝାଇ ତା ସବୁ କୁହ ହେ ନାନୀ ଗୋସାଇଁ
ଅଇଲେ ମନକୁ ମୋର ବ୍ରତ କରିବଇଁ ॥୪୩॥
ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ
ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ ॥୪୪॥
ମାର୍ଗଶିର ମାସର ଯେ ଆଦ୍ୟ ଗୁରୁବାର
ସେଦିନ ଉଷାରୁ ଶେଯ ଛାଡ଼ି ତତପର ॥୪୫॥
ଗୋମୟଜଳରେ ଘର ଦୁଆର ଲିପିବ
ଲକ୍ଷ୍ମୀଦେବୀ ପାଦପଦ୍ମ ଚିତାକୁ ଲେଖିବ ॥୪୬॥
ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ
ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ ॥୪୭॥
ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର
ଚାଉଳକୁ ବାଟି ଚିତା ଲେଖିବ ସମସ୍ତ ॥୪୮॥
ତହୁଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ
ଚଉକି ବା ଖଟୁଲି ଯେ ଆଣିବ ତୁରିତ ॥୪୯॥
ତାକୁ ଧୋଇ ତା ଉପରେ ଦେବେ ନୂଆଧାନ
ରଙ୍ଗକଳା ନୋହି ହୋଇଥିବ ଶୁକ୍ଳବର୍ଣ୍ଣ ॥୫୦॥
ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ
ଧାନମାଣ ଯେ ପୁରାଇ ରଖିବ ତା'ପରେ ॥୫୧॥
ସେ ଧାନମାଣ ଉପରେ ଗୁଆ ତିନିଗୋଟି
ହଳଦୀ ପାଣିରେ ତାହା ଧୋଇ ଥୋଇବଟି ॥୫୨॥
ଶୁକଳ ଧାନର ଶିସା ଆଣି ମେଣ୍ଟା କରି
ମାଣ ଉପରେ ତାହାକୁ ଥୋଇବ ବିଚାରି ॥୫୩॥
ଚୂଳ ଆଖୁ ମୂଳା କଦଳୀରେ ସଜାଇବ
ପଟ୍ଟାଦିରଙ୍ଗ ବସନ ପୁଷ୍ପେ ମଣ୍ଡାଇବ ॥୫୪॥
ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ
ଗନ୍ଧପୁଷ୍ପ ଧୂପଦୀପ ଆଦି ସମର୍ପିବ ॥୫୫॥
ପ୍ରଥମରେ ବାଳଧୂପ ତାପରେ ଶଙ୍ଖୁଡ଼ି
ଏପରି କରିବ ତିନି ଧୂପକୁ ସଜାଡ଼ି ॥୫୬॥

Back to Top

§ 4 - ଗୁରୁବାର ଦିନ ଯେଉଁ କଥା ବାରଣ ? (୫୭-୮୦) - Video Play Time: (0:11:00)

ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି
ସୁଦଶା ବ୍ରତ ନାମରେ ଲୋକେ ପ୍ରକଟିଛି ॥୫୭॥
ଶୁକଳଦଶମୀ ହେଲେ ଗୁରୁବାର ଦିନ
ହୁଅଇ ସୁଦଶା ବ୍ରତ ଶୁଣ ଦେଇ ମନ ॥୫୮॥
ସେଦିନ ଉଷାରୁ ଉଠି ଲିପି ଘରଦ୍ୱାର
ଝୋଟି ଆଦି ଚିତା ଦେବ ପୂର୍ବ ପରକାର ॥୫୯॥
ସ୍ନାନ ସାରି ଗୃହେ ପଦ୍ମମଣ୍ଡଳ ଲେଖିବ
ତହିଁପରେ ଧୋଇ ଏକ ଖଟୁଲି ରଖିବ ॥୬୦॥
ତହିଁପରେ ଲକ୍ଷ୍ମୀପୂଜା ଗୁଆକୁ ଥୋଇବ
ପଞ୍ଚାମୃତ ଶୁଦ୍ଧଜଳେ ସ୍ନାନ କରାଇବ ॥୬୧॥
ଦଶଖିଅ ସୂତାରେ ଯେ ବ୍ରତେକ କରିବ
ଲକ୍ଷ୍ମୀଙ୍କ ନାମରେ ଦଶଗୋଟି ଗଣ୍ଠିଦେବ ॥୬୨॥
ଦଶକେରା ଦୂବରେ ବ୍ରତକୁ ଗୁଡ଼ାଇବ
ମହାଲକ୍ଷ୍ମୀ ଗୁଆ ପାଖେ ତାହାକୁ ରଖିବ ॥୬୩॥
କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ
ବ୍ରତଡୋର ଆଣି ତହିଁ ଥୋଇବ ବହନ ॥୬୪॥
ପ୍ରଥମରେ ବାଳଧୂପ ନଇବେଦ୍ୟ କରି
ତା'ପରେ ଯା ଭୋଗ ଦେବ ଶୁଣ ହେତୁ କରି ॥୬୫॥
ଅରୁଆ ଚାଉଳ ଏକମାଣ ତିନ୍ତାଇବ
ତାକୁ କୁଟି ଚୂନା କରି ଯତନେ ରଖିବ ॥୬୬॥
କଦଳୀ ନଡ଼ିଆ ଛେନା ଆଦି ଦଶପୁର
ଦେଇ ଦଶଗୋଟି ମଣ୍ଡା କରଇ ସତ୍ୱର ॥୬୭॥
ମହାଲକ୍ଷ୍ମୀଙ୍କର ପୂଜା କରି ଭକ୍ତି ଚିତ୍ତେ
ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ ॥୬୮॥
ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ
ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ ॥୬୯॥
ଏ ଉତ୍ତାରୁ କଥା ଏକ ମନଦେଇ ଶୁଣ
ଗୁରୁବାର ଦିନ ଯେଉଁ କଥାଟି ବାରଣ ॥୭୦॥
ସେ କଥା କହୁଛି ଏବେ ସାଧବାଣୀ ଶୁଣ
କେବେ ନ ଭାଜିବ ଖଇ ଗୁରୁବାର ଦିନ ॥୭୧॥
ଯେଉଁ ନାରୀ ଗୁରୁବାର ଦିନରେ ଆମିଷ
ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ ॥୭୨॥
ଭୁଞ୍ଜଇ ଉଚ୍ଛିଷ୍ଟ କିବା ଲଗାଏ ଯେ ତେଲ
ମହାଲକ୍ଷ୍ମୀ ତାର ନିଶ୍ଚେ ଭାଙ୍ଗିଦ୍ୟନ୍ତି ଗେଲ ॥୭୩॥
ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ
ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ ॥୭୪॥
ଖଟର ଛାୟାରେ ଯେହୁ କରଇ ଶୟନ
ରାତ୍ରକାଳେ ଦ‌ଧିଅନ୍ନ ଯେ କରେ ଭୋଜନ ॥୭୫॥
କ୍ଷୌର ହୁଏ ଯେହୁ ଯାଇ ନାପିତର ଦ୍ୱାରରେ
ଭୋଜନ ସମୟେ ଅନ୍ନ ପକାଏ ଭୂମିରେ ॥୭୬॥
ଭୁଞ୍ଜି ନ ପାରିଣ ଯେହୁ ଫୋପାଡ଼ଇ ଦିଏ
ଏତେ କର୍ମ ଯେ କରେ ସେ ଲକ୍ଷ୍ମୀଙ୍କି ନ ପାଏ ॥୭୭॥
ଗୁରୁବାର ଦିନ ସକାଳରୁ ଗୋମୟରେ
ଦୂଆର ଯେ ନ ଲିପଇ ଅଳସ ପଣରେ ॥୭୮॥
ଚୁଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ
ଏମାନଙ୍କଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ ॥୭୯॥
ଧନ ଜନ ସବୁ ତାର ହରଣ କରନ୍ତି
ମାଗିଗଲେ ଅନ୍ନବସ୍ତ୍ର କେହି ନ ଦିଅନ୍ତି ॥୮୦॥

Back to Top

§ 5 - ଲକ୍ଷ୍ମୀଦେବୀଙ୍କ ସାଧବାଣୀକୁ ଲକ୍ଷ୍ମୀବ୍ରତ କରିବାକୁ ଉପଦେଶ (୮୧-୧୩୩) - Video Play Time: (0:18:00)

ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା
ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା ॥୮୧॥
ଗୁରୁବାରେ ଯେଉଁ ନାରୀ ପିଲାଙ୍କୁ ମାରଇ
କିବା ପାକହାଣ୍ଡି ଧୋଇ କଳା ନ ଛାଡ଼ଇ ॥୮୨॥
ସନ୍ଧ୍ୟା ଗଡ଼ିଗଲେ ଯେ ଦିଅଇ ସନ୍ଧ୍ୟାବତୀ
ଧନ ପୁତ୍ର ହାନି ହୁଏ ସଦା ବ‌ହୁ କ୍ଷତି ॥୮୩॥
ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ
ଶୋଇବା ଶଯ୍ୟାକୁ ବଙ୍କା କରିଣ ବିଛାଏ ॥୮୪॥
ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ
ଉଲଗ୍ନ ହୋଇ ଶ‌ୟନ କରଇ ଯେ ପ୍ରାଣୀ ॥୮୫॥
ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ଯେ ହଳ
ଏହି ଦିନମାନଙ୍କରେ ଘେନଇ ତଇଳ ॥୮୬॥
ସଭାରେ ବସିଣ ଯେ ମାନବ ମିଛ କହି
ଆଳସ୍ୟେ ପାଦ ନ ଧୋଇ ଯେ ଭୁଞ୍ଜି ବସଇ ॥୮୭॥
କୁଷ୍ମାଣ୍ଡ ଫଳକୁ ଯେଉଁ ରମଣୀ କାଟଇ
ଋତୁମତୀ ନାରୀକି ଯେ ରମଣ କରଇ ॥୮୮॥
କନ୍ୟା ତୁଳା ମାସେ ପିତୃଶ୍ରାଦ୍ଧ ନ କରନ୍ତି
କଥା କହୁ କହୁ ସବୁବେଳେ ଯେ ହସନ୍ତି ॥୮୯॥
ଏମନ୍ତ ମନୁଷ୍ୟ ସଦା ବ‌ହୁ କଷ୍ଟ ପାଇ
ଆୟୁ, ବୁଦ୍ଧି ନାଶ ହୁଏ ଅନ୍ନ ନ ମିଳଇ ॥୯୦॥
ଗୁରୁବାର ଅମାବାସ୍ୟା ସଙ୍କରାନ୍ତି ଦିନ
ରଜନୀରେ ସ୍ତ୍ରୀ ପୁରୁଷ କଲେକ ଭୋଜନ ॥୯୧॥
କିବା ଏହି ତିନି ଦିନ ଯେଉଁ ନାରୀ ମୋହେ
ପୁରୁଷ ସାଙ୍ଗରେ ମାତି ଧର୍ମକୁ ନ ଚାହେଁ ॥୯୨॥
ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ
ବୁଲନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ ॥୯୩॥
ଏ ତିନିଦିନରେ ଯେହୁ ତିକ୍ତ ଦ୍ରବ୍ୟ ଖାନ୍ତି
ଅନ୍ତକାଳେ ଯମଦ୍ୱାରେ ନାନା ଦଣ୍ଡ ପାନ୍ତି ॥୯୪॥
ଏ ତିନିଦିନ ଯେ ନାରୀ କରଇ ହବିଷ୍ୟ
ଦୁଃଖୀ ରଙ୍କି ଦେଖି ଦାନ କରଇ ବିଶେଷ ॥୯୫॥
କରେ ଲକ୍ଷ୍ମୀବ୍ରତ ଲକ୍ଷ୍ମୀବାରେ ଉପବାସ
ବଢ଼ଇ ତାହାର ଧନ ଜନ ଆୟୁ ଯଶ ॥୯୬॥
ସକାଳୁ ଶେଯରୁ ଉଠି ମୁଖ ଯେ ନ ଧୁଏ
ତା ମୁଖ ଯେ ଜନ ଦେଖେ ତାର ଶୁଭ ନୋହେଁ ॥୯୭॥
ରାତ୍ରଶେଷେ ବାସି ଶେଯେ ଯେ କରେ ଶୟନ
ଲକ୍ଷ୍ମୀ ତା ଗୃହକୁ ତ୍ୟାଗ କରନ୍ତି ବ‌ହ‌ନ ॥୯୮॥
ଆସନ ବିନା ଯେ ଭୂମିପରେ ବସି ଖାଏ
କିବା ଯେ କୁମାରୀ ସଙ୍ଗତରେ କାମମୋହେ ॥୯୯॥
ଦକ୍ଷିଣ ପଶ୍ଚିମ ମୁଖେ ଯେ ଭୁଞ୍ଜି ବସଇ
ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ ॥୧୦୦॥
ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ
କେଭେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ ॥୧୦୧॥
ଭୋଜନ କରି ଯେ ମୁଖ ଶୋଧନ ନ କରେ
ଭୋଜନ କରଇ ଯେହୁ ଅନ୍ଧକାର ଘରେ ॥୧୦୨॥
ସ୍ନାନ ପରେ କରଇ ଯେ ତଇଳ ମର୍ଦ୍ଦନ
କରେ ଯେହୁ ନଖମୁନେ ଭୂମି ବିଦାରଣ ॥୧୦୩॥
ପିନ୍ଧିଥିବା ଲୁଗାଶେଷେ ଯେ ବିଞ୍ଚି ହୁଅଇ
ଏମାନଙ୍କ ବଦନକୁ ଲକ୍ଷ୍ମୀ ନ ଚାହଁଇ ॥୧୦୪॥
ଯେଉଁ ନାରୀ ନିଜ ପତିଠାରେ ରୋଷ ବ‌ହେ
ସ୍ୱାମୀ ଯାହା ବୋଲେ ତାହା ନ କରେ କେବେହେଁ ॥୧୦୫॥
ପର ପୁରୁଷରେ ଯେହୁ ହୋଇଥାଏ ରତ
ପରିଷ୍କୃତ ନୋହି ହୁଏ ଯେ ନାରୀ କୁତ୍ସିତ ॥୧୦୬॥
ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି
କାଙ୍ଗାଳିନୀ ହୋଇ ବାରଦ୍ୱାରେ ସେ ବୁଲନ୍ତି ॥୧୦୭॥
କଳହୀ ଅଳସୀ ଅତି ଅପ୍ରିୟା ସାହସୀ
ଦେବ ବିପ୍ର ଅତିଥିରେ ନୁହଁଇ ବିଶ୍ୱାସୀ ॥୧୦୮॥
ଏହିପରି ନାରୀ ଥିଲେ ସେ ଗୃହ ଶ୍ମଶାନ
ଲକ୍ଷ୍ମୀ ସେ ସ୍ଥାନ‌କୁ ସଦା କରନ୍ତି ବର୍ଜନ ॥୧୦୯॥
ଯେଉଁ ନାରୀ ଭକ୍ତି ଚିତ୍ତେ ସ୍ୱାମୀକୁ ନ ସେବେ
ଜନ୍ମେ ଜନ୍ମେ ସ୍ୱାମୀ ଦୁଃଖେ ଦୁଃଖୀ ହୁଏ ଭବେ ॥୧୧୦॥
ଯେଉଁ ନାରୀ ସ୍ୱାମୀକୁ ଦେବତା ସମ ମଣି
ସେବାକରି ତୋଷୁଥାଏ ତାର ମତି ଚିହ୍ନି ॥୧୧୧॥
ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ
ସାନ ବଡ଼ ସମସ୍ତଙ୍କୁ ସମ‌ଭାବେ ଚାହେଁ ॥୧୧୨॥
ପରଷିବା ବେଳେ ପକ୍ଷ‌ପାତ ଯେ ନ କରେ
ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଣ୍ଟି ସମାନରେ ॥୧୧୩॥
ପତିର ଆଜ୍ଞାକୁ କେବେ ନ ପକାଏ ତଳେ
ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖୀ ହୋଇ ଚଳେ ॥୧୧୪॥
ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି
ତାର ଦୁଃଖ ନୟନରେ ଲବେ ନ ଦେଖନ୍ତି ॥୧୧୫॥
ଏ ମର୍ତ୍ତ୍ୟ ମଣ୍ଡଳେ ସେହୁ ବହୁ ସୁଖ ପାଏ
ପତି ପୁତ୍ର କନ୍ୟା ଅଇଶ୍ୱର୍ଯ୍ୟଯୁକ୍ତ ପାଏ ॥୧୧୬॥
ଅନ୍ତକାଳେ ବଇକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ
ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ ॥୧୧୭॥
ସଧବା ନାରୀର ପତି ବିନା ନାହିଁ ଗତି
ତପ ଜପ ଦେବ ପୂଜା ତାହାର ଅନୀତି ॥୧୧୮॥
ପତି ସେବା ଛାଡ଼ି ବୃଥା ବ୍ରତ ଯେ କରଇ
ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ ॥୧୧୯॥
ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ
ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି ॥୧୨୦॥
ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ
ଆପଣାର କୁଳମଧର୍ମ ନ ଛାଡ଼ନ୍ତି ଲେଶ ॥୧୨୧॥
ସଦାକାଳେ କରନ୍ତି ଉତ୍ତମ ଆଚରଣ
ଲକ୍ଷ୍ମୀ ତାହାଙ୍କର ପାଶେ ମିଳନ୍ତି ତକ୍ଷଣ ॥୧୨୨॥
ପତିସେବା ବିନା ନାହିଁ ନାରୀଙ୍କର ଗତି
ପତିପ୍ରାଣା ନାରୀ କରେ ଦେବଲୋକେ ଗତି ॥୧୨୩॥
ନାରୀଙ୍କର ଲକ୍ଷ୍ମୀବ୍ରତ ପତିସେବା ବିନା
ଅନ୍ୟ ଦେବ ପୂଜାତୀର୍ଥ ଯାତ୍ରା ବିଡ଼ମ୍ବନା ॥୧୨୪॥
ପତିସେବା ବରଜି ଯେ ମାତି ଗରବରେ
ଗୁରୁବାରେ ଲକ୍ଷ୍ମୀବ୍ରତ ସେହୁ ଯଦି କରେ ॥୧୨୫॥
ତାହାର ନୁହଇ ଭଲ ଜନମେ ଜନମେ
ଦୁଃଖ ଶୋକ ରୋଗ ଭୋଗ ସଂସାର ସେ ଭ୍ରମେ ॥୧୨୬॥
ଏମନ୍ତ ତିଆରି ସାଧବାଣୀକୁ କହିଲେ
ଆଜିଠାରୁ ଲକ୍ଷ୍ମୀବ୍ରତ କର ଯା ବୋଇଲେ ॥୧୨୭॥
ନ କଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ
ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ ॥୧୨୮॥
ଶୁଣ ହେ ନାରଦ ଠାକୁରାଣୀ ଏହା କହି
ସେଠାବରୁ କେତେଦୂର ପଥ ଗଲେ ବାହି ॥୧୨୯॥
ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ
କାହାରି ଦୁଆରେ ସେ ଯେ ଶୁଚି ନ ଦେଖିଲେ ॥୧୩୦॥
କେବଣ ଯୁବତୀ ନିଦେ ହୋଇ ଅଚେତନ
କାହାର ଫିଟିଯାଇଛି ପିନ୍ଧିଲା ବସନ ॥୧୩୧॥
କାହାର ଶିରର କେଶ ମୁକୁଳିତ ହୋଇ
ଭୂମିପରେ ପଡ଼ିଅଛି କେରି କେରି ହୋଇ ॥୧୩୨॥
ଏହି ରୁପେ ମହାଲକ୍ଷ୍ମୀ ଦେଖିକରି ଗଲେ
ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ ॥୧୩୩॥

Back to Top

§ 6 - ଶ୍ରୀୟା ଚଣ୍ଡାଳୁଣୀ ଘରେ ମା' ଲକ୍ଷ୍ମୀ (୧୩୪-୧୭୫) - Video Play Time: (0:27:00)

ଶ୍ରୀୟା ଚଣ୍ଡାଳୁଣୀ ନ‌ଗ୍ର ବାହାରେ ତା ଘର
ତାହାର ମହିମା ଯେ ଦେବଙ୍କୁ ଅଗୋଚର ॥୧୩୪॥
ପ୍ରତିଦିନ ଖରକଇ ଗୁଣ୍ଡିଚା ନ‌ଗର
ବିଷ୍ଣୁ ଭକତିରେ ସେ ଯେ ଅତି ତ‌ତପର ॥୧୩୫॥
ରାତ୍ର ବେନି ଘଡ଼ି ଥାଇ ଚାଣ୍ଡାଳୁଣୀ ଗଲା
ଏକବର୍ଣ୍ଣୀ ଗାଈର ଯେ ଗୋବର ଆଣିଲା ॥୧୩୬॥
ଉତ୍ତମ କରିଣ ଘରଦୂଆର ଲିପିଲା
ଛଡ଼ାପାଣି ମୁନ୍ଦାଏ ଦୂଆରେ ପକାଇଲା ॥୧୩୭॥
ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା
ଷୋଳକୋଠି କରି ଦିବ୍ୟ ପଦ୍ମେକ କାଟିଲା ॥୧୩୮॥
ଦଶମୁଖା ଦୀପାବଳୀ ମଣ୍ଡଳେ ଥାପିଲା
ଦଶବର୍ଣ୍ଣ ଫଳ ଆଣି ମଣ୍ଡଳେ ବାଢ଼ିଲା ॥୧୩୯॥
ସୂତା ଦଶଖିଅ ନେଇ ମଣ୍ଡଳେ ଥୋଇଲା
ମନର ଚଞ୍ଚଳେ ସେହୁ ବେଗେ ଚଳିଗଲା ॥୧୪୦॥
ଅରୁଆ ଚାଉଳ ଆଉ ଦୁବ ଦଶକେରା
ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା ॥୧୪୧॥
ଧୂପଦୀପ ଗନ୍ଧପୁଷ୍ପ ନଇବେଦ୍ୟ ଦେଲା
ଲକ୍ଷ୍ମୀ ନାରାୟଣୀ ବୋଲି ସୁମରଣ କଲା ॥୧୪୨॥
ନମସ୍ତେ ନମସ୍ତେ ମାଗୋ ହରିଙ୍କ ଘରଣୀ
ମୁହିଁ ଛାର ହୀନ‌ଜାତି ନ ଜାଣଇ ପୁଣି ॥୧୪୩॥
ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ
କିଞ୍ଚିତେ ଭକତି ମୋର ଘେନ କମଳିନୀ ॥୧୪୪॥
ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ
ସ‌ହି ନ ପାରିଲେ ଚଣ୍ଡାଳୁଣୀର ଦୟିନୀ ॥୧୪୫॥
ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା
ଦୁଇପାଦ ଦେଇ ମାତା ପଦ୍ମେ ହେଲେ ଉଭା ॥୧୪୬॥
ଚଣ୍ଡାଳୁଣୀ ଘରଗୋଟି ପାଇଲାକ ଶୋଭା
ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା ॥୧୪୭॥
ବୋଇଲେଲୋ ଚଣ୍ଡାଳୁଣୀ ମାଗି ଘେନ ବର
ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର ॥୧୪୮॥
ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ
କି ବର ମାଗିବି ମାଗୋ ମାଗି ଜାଣି ନାହିଁ ॥୧୪୯॥
ଗୋ-ଗୋଷ୍ଠକୁ ଦେବ ମୋର ଲକ୍ଷେ ପଦ୍ମ ଗାଈ
କୁବେର ସମାନ ମାତ ଧନ ଦେବୁ ତୁହି ॥୧୫୦॥
କୋଳକୁ ନନ୍ଦନ ଯେ ହସ୍ତକୁ ସୁନାବାହି
ଚାରିଯୁଗେ ବସିବି ଅମର ବର ପାଇ ॥୧୫୧॥
ଲକ୍ଷ୍ମୀ ଶୁଣିଣ କହିଲେ ହୋଇଲୁ କି ବାଇ
ଏ ସମସ୍ତ ବର ତୋତେ ଦେଇ ତ ପାରଇ ॥୧୫୨॥
ଅମର ବର ଦେବାକୁ ଶକ୍ତି ନାହିଁ ମୋର
ଏହି ବର ମାଗିଲୁ ତୁ କେମନ୍ତ ପ୍ରକାର ॥୧୫୩॥
ଯେତେ ଦିନ ବଞ୍ଚିଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ
ଅନ୍ତକାଳେ ତୁହି ବଷ୍ଣୁ ପଞ୍ଜରେ ପଶିବୁ ॥୧୫୪॥
ମୋହର ଏ ବ୍ରତ କରୁଥିବୁ ସବୁଦିନ
ଲକ୍ଷ୍ମୀ-ନାରାୟଣ ପଦେ ଥିବ ତୋର ମନ ॥୧୫୫॥
ଶୁଣ ହେ ନାରଦ ଏଣେ ହରି ବଳରାମ
ମୃଗୟା ବିନୋଦେ ଯାଇଥିଲେ ଘୋରବନ ॥୧୫୬॥
ଯେତେବେଳେ ବଳରାମ ଏ କଥା ଜାଣିଲେ
ଡାକିକରି ଶ୍ରୀହରିଙ୍କୁ ଏମନ୍ତ କହିଲେ ॥୧୫୭॥
ଦେଖ ଦେଖ କହ୍ନାଇ ତୋ ଭାରିଜା ଆଚାର
ଉଭା ହୋଇଣ ଅଛି ଯେ ଚଣ୍ଡାଳୁଣୀ ଘର ॥୧୫୮॥
ହାଡ଼ି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ
ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ॥୧୫୯॥
ଏହି ରୁପେ ସବୁଦିନେ ଦେଉଳେ ପଶୁଛି
ଦୁଇଗୋଟି ଭାଇଙ୍କୁ ବିଟାଳ କରାଉଛି ॥୧୬୦॥
ଦାରିଦ୍ର ଭଞ୍ଜନୀ ନାମ ଯେଣୁ ଅଛି ବ‌ହି
ଦରିଦ୍ରମାନଙ୍କ କଷ୍ଟ ନ ପାରୁଛି ସ‌ହି ॥୧୬୧॥
ସୁଦଶା ନାମରେ ଏକ ବ୍ରତ ଯେ ତାହାର
ଏହି ବ୍ରତେ ଚଣ୍ଡାଳୁଣୀ ପୁଜେ ତା ପୟର ॥୧୬୨॥
ଭାରିଜାରେ କାର୍ଯ୍ୟ ଯେବେ ଅଛିରେ କହ୍ନାଇ
ଚଣ୍ଡାଳ ସାହିରେ ତୁ ନଅର ତୋଳ ଯାଇ ॥୧୬୩॥
ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ
ଏପରି ଘରଣି ଥିଲେ ଭଲ ଗତି ନାହିଁ ॥୧୬୪॥
ଗୋବିନ୍ଦ ବୋଇନ୍ତି ଭ୍ରାତା ଘଉଡ଼ାଇ ଦେବା
ଲକ୍ଷ୍ମୀ ପରା ଭାରିଜାକୁ ଆଉ ନ ଲଭିବା ॥୧୬୫॥
ସେ ଯେବେ ଦୋଷ କରିଛି ଏମନ୍ତ କରିବା
ସ୍ୱର୍ଗପୁର ଲୋକଙ୍କୁ ହକାରି ଅଣାଇବା ॥୧୬୬॥
ପାଞ୍ଚ ଲକ୍ଷ ଟଙ୍କା ଦେଇ ଜାତି କରାଇବା
ଆଉ ବେଳେ ତାର ଯଦି ଅନୀତି ଦେଖିବା ॥୧୬୭॥
ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ
ଏ କଥା ପ୍ରମାଣ ତୁମ୍ଭେ ଶୁଣ ଜ୍ୟେଷ୍ଠ ଭାଇ ॥୧୬୮॥
ନ ଜାଣି ଯେ ଦୋଷ କଲେ ସିନ୍ଧୁ ରାଜ‌ଜେମା
ବାରେ ମାତ୍ର ଭ୍ରାତା ତାଙ୍କ ଦୋଷ କର କ୍ଷମା ॥୧୬୯॥
ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ
ତୋର ଲକ୍ଷ୍ମୀ ଥିଲେ ମୁହିଁ ରହିବଇ ନାହିଁ ॥୧୭୦॥
ଭାରିଜାଟି ଅଟେ ସିନା ପାଦର ପାଣ୍ଡୋଇ
ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ ॥୧୭୧॥
ଭାର୍ଯ୍ୟାଠାରେ ଲୋଭ ଯେବେ ଅଛିରେ କହ୍ନେଇ
ଚାଣ୍ଡାଳ ସାହିରେ ତୁ ନଅର ତୋଳ ଯାଇ ॥୧୭୨॥
ମୋର ବଡ଼ ଦେଉଳକୁ ଆଉ ନ ଆସିବୁ
ଭାରିଯାକୁ ଘେନି ତୁହି ବାହାରେ ରହିବୁ ॥୧୭୩॥
ଧିକ୍କାର ବଚନ ପ୍ରଭୁ ଶୁଣି ନ ପାରିଲେ
ଛାଡ଼ିଲି ବୋଲିଣ ରଙ୍ଗ ଅଧରେ କହିଲେ ॥୧୭୪॥
ଦେଉଳର ସିଂହଦ୍ୱାରେ ପ୍ରବେଶ ହୋଇଲେ
ଉର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଃଶ୍ୱାସ ଛାଡ଼ିଲେ ॥୧୭୫॥

Back to Top

§ 7 - ଜଗନ୍ନାଥଙ୍କ ଲକ୍ଷ୍ମୀଦେବୀଙ୍କୁ ତିରସ୍କାର (୧୭୬-୨୩୨) - Video Play Time: (0:33:00)

ଶୁଣ ହେ ନାରଦ ତେଣେ ଶ୍ରୀୟା ଚଣ୍ଡାଳୁଣୀ
ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦବେନି ॥୧୭୬॥
ତାହାର ପୂଜାରେ ଦେବୀ ସନ୍ତୁଷ୍ଟ ହୋଇଲେ
ଯାଚିଣ ଅନେକ ବର ପ୍ରଦାନ ଯେ କଲେ ॥୧୭୭॥
କୁଟୀର ଖଣ୍ଡିକ ଥିଲା ବଲୁରିର ବାସ
ଲକ୍ଷ୍ମୀ ଦୟାକଲେ ହେଲା ଚନ୍ଦନ ଉଆସ ॥୧୭୮॥
ଯେଉଁ ଚଣ୍ଡାଳୁଣୀ ଘରେ ନ ଥିଲାକ ଅନ୍ନ
ଚାରିକୋଣେ ଦେଲେ ତାକୁ ଶୁଦ୍ଧ ଯେ ସୁବର୍ଣ୍ଣ ॥୧୭୯॥
ଯେଉଁ ଚଣ୍ଡାଳୁଣୀ ଘରେ ନ ଥିଲାକ ପୁତ୍ର
ଲକ୍ଷ୍ମୀ ଦୟା କଲେ ତାର ହେଲା ପାଞ୍ଚ ପୁତ୍ର ॥୧୮୦॥
ଧନ ପୁତ୍ରବତୀ ହୁଅ ବୋଲିଣ ବୋଇଲେ
ବରଦେଇଣ ସେ ଠାରୁ ବିଜେ କରିଗଲେ ॥୧୮୧॥
ଲକ୍ଷ୍ମୀ ହେତୁ ଚାଣ୍ଡାଳୁଣୀ ହେଲେ ଭାଗ୍ୟବତୀ
ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ ॥୧୮୨॥
ସିଂହଦୁଆରେ ବିଜୟ ଲକ୍ଷ୍ମୀ ମହାମାୟୀ
ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ ॥୧୮୩॥
ବୋଇଲେ ଯେ ବାଟ ଛାଡ଼ ଭିତରକୁ ଯିବି
ଦଶମୀ ଯୋଗାଡ଼ି ମୁହିଁ ମାଣୋହୀ ରାନ୍ଧିବି ॥୧୮୪॥
ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ
ଚଣ୍ଡାଳ ସାହିକି ଯାଇଥିଲ କାହିଁ ପାଇଁ ॥୧୮୫॥
ଆମ୍ଭେ ନ ଦେଖୁଣୁ ଦେଖିଲେ ଯେ ବଡ଼ଭାଇ
ଆମ୍ଭେ ଦେଖୁଥିଲେ ସିନା ଦିଅନ୍ତୁ ଘୋଡ଼ାଇ ॥୧୮୬॥
ଯାଅ ଲକ୍ଷ୍ମୀ ତୁମ୍ଭଠାରେ ଆଉ କାର୍ଯ୍ୟ ନାହିଁ
ଧିକ୍କାର ବ‌ହୁତ ମୋତେ କଲେ ବଡ଼ଭାଇ ॥୧୮୭॥
ହାଡ଼ି ଦ୍ୱାରେ ଥିବ ଲକ୍ଷ୍ମୀ ଥିବ ପାଣ ଘରେ
ସ୍ନାନ ନ କରି ପଶୁଛି ଦେଉଳ ଭିତରେ ॥୧୮୮॥
ତୋ'ଠାରୁ ପାପିନୀ ଆଉ ସଂସାରରେ ନାହିଁ
ମୋହର ବଚନ ଏବେ ଶୁଣ ପ୍ରାଣସ‌ହୀ ॥୧୮୯॥
ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ
ବାଇ ପ୍ରାୟ ବୁଲୁଥାଉ ହୋଇ ମୋ ଘରଣୀ ॥୧୯୦॥
ଏକ ଘର କରାଉ ସ‌ହସ୍ର ଘର ଭାଙ୍ଗି
ସ‌ହସ୍ର ଘର କରାଉ ଏକ ଘର ଭାଙ୍ଗି ॥୧୯୧॥
ଏମନ୍ତ ପ୍ରକାରେ ଲକ୍ଷ୍ମୀ ମହିମା ତୋହର
ଯାଅ ଲକ୍ଷ୍ମୀ ବାହାରି ଗୋ ନ ରହ ମୋ ପୁର ॥୧୯୨॥
ତୋହଠାରେ କୋପ କରିଛନ୍ତି ଜ୍ୟେଷ୍ଠ ଭାଇ
ଲକ୍ଷ୍ମୀଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ ॥୧୯୩॥
ଛାଡ଼ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ
ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ ॥୧୯୪॥
ଆମ୍ଭର ଜାତିରେ ଛାଡ଼ପତ୍ର ଚଳେ ନାହିଁ
ଛାଡ଼ିବା ଭାରିଜା ମୁଖ ଚାହିଁ ନ ଯୋଗାଇ ॥୧୯୫॥
ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ
ଯେତେବେଳେ ସାଗର ମନ୍ଥିଲେ ଦେବେ ଯାଇ ॥୧୯୬॥
ବେଦମନ୍ତ୍ରାଦି ସ‌ହିତେ ମୋତେ ପାଇଥିଲ
ସେତେବେଳ କଥା ତୁମ୍ଭେ ପାଶୋରି ଯେ ଦେଲ ॥୧୯୭॥
ମୋର ପିତା ବରୁଣ ଯେ ତୁମ୍ଭଙ୍କୁ ବରିଲେ
କନ‌କ ବେଦୀରେ ନେଇ ବିଭା କରାଇଲେ ॥୧୯୮॥
ଝିଅ ଦେଇ ଶରଣ ପଶିଲେ ତୁମ୍ଭଠାଇଁ
ଦଶଦୋଷ ମୋର କ୍ଷମା କରିବାର ପାଇଁ ॥୧୯୯॥
ଦଶଗୋଟି ଦୋଷରୁ ଗୋଟିଏ ନ ସ‌ହିଲ
ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳିଦେଲ ॥୨୦୦॥
ବିଭାବାସି ଦିନ ଜୁଆ ଖେଳିବାର ବେଳେ
ସାତକଡ଼ା କଉଡ଼ି ଯେ ପାତିଲଇଁ ତଳେ ॥୨୦୧॥
ତୁମ୍ଭେ ଢାଳିଦିଅ ନାଥ ମୋହରି ହସ୍ତରେ
ସୁବର୍ଣ୍ଣ କଉଡ଼ି ମୁହିଁ ଜାକିଲଇଁ କରେ ॥୨୦୨॥
ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର
ମୋତେ ବୋଇଲ ଯା' ଇଚ୍ଛା ମାଗି ଘେନ ବର ॥୨୦୩॥
ଯାହା ମନେ ବାଞ୍ଛା ଗୋ କରିବୁ ଚାନ୍ଦ ତୁହି
ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣସ‌ହୀ ॥୨୦୪॥
କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର
ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର ॥୨୦୫॥
ଅଳ୍ପଦିନେ ପଡ଼ିବ ମୋହର ଗୁରୁବାର
ପଡ଼ି ଚରଚିବି ମୁହିଁ ସଭିଙ୍କର ଘର ॥୨୦୬॥
ପଡ଼ି ଚରଚିବି କୀଟୁ ବ୍ରହ୍ମ ପରିଯନ୍ତେ
ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତ୍ତେ ॥୨୦୭॥
ହେଉ ବୋଲି ଶ୍ରୀମୁଖରେ ଆଜ୍ଞା ଅଛ ଦେଇ
ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇଁ ॥୨୦୮॥
ଜଗନ୍ନାଥ କହୁଛନ୍ତି କୋପଭର ହୋଇ
ବାପ ତୋ ଲୁଣିଆ ଯେ ଗରଜି ମରୁଥାଇ ॥୨୦୯॥
ଝିଅ ଟେରୀ ତୋ ଦୁର୍ଗୁଣ କହିଲେ ନ ସରେ
ବାପର ଗର୍ଜ୍ଜନ ଶବ୍ଦେ କିଏ ରହିପାରେ ॥୨୧୦॥
ଚାରିପାଖେ ମେଘନାଦ ପାଚେରୀ ତୋଳାଇ
ବଡ଼ ଦେଉଳରେ ରହିଅଛୁ ଦୁଇ ଭାଇ ॥୨୧୧॥
ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ
ଅଛବର ଘରେ ଦଣ୍ଡେ ଥିଲି ଉଭାହୋଇ ॥୨୧୨॥
ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ
ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ ॥୨୧୩॥
ପ୍ରଭୁ ହେତୁ ଯାଉଅଛ ସବୁ ଗୋପ୍ୟ ହୋଇ
ତୁମ୍ଭ ଜାତି କୂଳର ତ ଠିକଣା ନ ଥାଇ ॥୨୧୪॥
ତୁମ୍ଭ ଜାତି କୂଳ ଯେ କହିଲେ ନ ସରଇ
ଗଉଡ଼ ଘରେ ରହିଲ ଦୁଇଗୋଟି ଭାଇ ॥୨୧୫॥
ନିମା ନାମେ ସିପୁଟି ଯେ ଜାତିରେ ଗୋଲକ
ତାହା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ ॥୨୧୬॥
ଦୂତ ପଣେ ଯାଇଥିଲ ହସ୍ତିନା ଭୁବନ
ବିଦୁର ଘରେ ଯେ ତୁମ୍ଭେ କରିଲ ଭୋଜନ ॥୨୧୭॥
ଜାରା ନାମେ ଶବର ଯେ ଅରଣ୍ୟରେ ଘର
ସେ ତୁମ୍ଭଙ୍କୁ ପୂଜିଲା ବରଷ ଦଶ ବାର ॥୨୧୮॥
ଅରଣ୍ୟରୁ ଫଳମୂଳ ଖୋଜିଣ ଆଣଇ
ବସିଣ ପ୍ରଥମେ ଭଲମନ୍ଦ ସେ ଚାଖଇ ॥୨୧୯॥
ପିତା କଷା ସବୁ ପ୍ରଭୁ ଆଡ଼ କରିଦେଇ
ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜାଇ ॥୨୨୦॥
ଶବର ବିଟାଳ ତୁମ୍ଭେ ବେନିଗୋଟି ଭାଇ
ଏ କଥା କି ତୁମ୍ଭ ମନୁ ଗଲା ଭୁଲହୋଇ ॥୨୨୧॥
କିମ୍ପାଇଁ କର ଗୋସାଇଁ ଏମନ୍ତ ବିଚାର
ଯାଅ ଯାଅ ବୋଲୁଅଛ ମୋତେ ବାରମ୍ବାର ॥୨୨୨॥
ଜଗନ୍ନାଥ କହୁଛନ୍ତି ଏମନ୍ତ କରିବା
ମାଣେ ମାଣେ ପଡ଼ି ତୋତେ ନିତ୍ୟେ ଦେଉଥିବା ॥୨୨୩॥
ଭାଇକୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ
ଭାଇଙ୍କ ଆଜ୍ଞା କେଭେ ଅବଜ୍ଞା ନ କରିବୁ ॥୨୨୪॥
ଲକ୍ଷ୍ମୀଦେବୀ କହ‌ନ୍ତି ପଡ଼ିରେ କାର୍ଯ୍ୟ ନାହିଁ
ଅନାଥ ଅରକ୍ଷ ପ୍ରାୟ ଯାଉଅଛି ମୁହିଁ ॥୨୨୫॥
ରାଣ୍ଡୀ ଅଲକ୍ଷଣୀ ଝିଅ ମୁହିଁ ଯେ ନୁହଁଇ
ପିତାର ଘରକୁ ମୁଁ ଯେ ବାହାରି ଯିବଇଁ ॥୨୨୬॥
ତୁମ୍ଭ ଅଳଙ୍କାରମାନ ପ୍ରଭୁ କାଢ଼ିନିଅ
ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ ॥୨୨୭॥
ଗୋବିନ୍ଦ ବୋଲନ୍ତି ଅଳଙ୍କାର ଅଛୁ ଦେଇ
ଏବେ ସେ ଅଳଙ୍କାରକୁ ନେବୁ କାହିଁ ପାଇଁ ॥୨୨୮॥
ଭାରିଜାର ଦେହେ ଯେଉଁ ଅଳଙ୍କାର ଥାଏ
ସ୍ୱାମୀ ହୋଇ ତାହାଠାରୁ କାଢ଼ିଣ କେ ନିଏ ॥୨୨୯॥
ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ
ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିବାହୀ ॥୨୩୦॥
ପଛରେ କହିବ ଲକ୍ଷ୍ମୀ ଆମ୍ଭ ଘରେ ଥିଲା
ସ‌ହସ୍ର ଟଙ୍କାର ଅଳଙ୍କାର ଘେନି ଗଲା ॥୨୩୧॥
ଏମନ୍ତ ଅଖ୍ୟାତି ମୋତେ ନ ଦିଅ ଗୋସାଇଁ
ତୁମ୍ଭ ଅଳଙ୍କାରମାନ ନିଅ ବାହୁଡ଼ାଇ ॥୨୩୨॥

Back to Top

§ 8 - ଲକ୍ଷ୍ମୀଦେବୀଙ୍କ ଶ୍ରୀ ଜଗନ୍ନାଥଙ୍କୁ ଅଭିଶାପ ଓ ଶ୍ରୀମନ୍ଦିର ତ୍ୟାଗ (୨୩୩-୨୫୬) - Video Play Time: (0:50:00)

ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି
ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କଞ୍ଚୁଲି ॥୨୩୩॥
ଅଣ୍ଟାରୁ କାଢ଼ିଲେ ମାଏ ରତ୍ନର ଓଢ଼ଣୀ
ନାସିକାରୁ କାଢ଼ିଲେ ସେ ମୁକୁତା ବସଣୀ ॥୨୩୪॥
କର୍ଣ୍ଣଦ୍ୱୟରୁ କାଢ଼ିଲେ ହୀରକ କୁଣ୍ଡଳ
ଗଳାରୁ କାଢ଼ିଲେ ଯେ ଦୋଷରୀ ଚିନାମାଳ ॥୨୩୫॥
ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୁପୂର
ଅଙ୍ଗୁଷ୍ଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ତ୍ୱର ॥୨୩୬॥
ଅନ୍ୟ ଅଳଙ୍କାରମାନ କି କହିବି ଆଉ
ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ ॥୨୩୭॥
ସବୁ ଅଳଙ୍କାରମାନ ଏକଠାବ କଲେ
ରଖ ଦୀନବନ୍ଧୁ ଏହା ବୋଲି ସମର୍ପିଲେ ॥୨୩୮॥
ଗୋବିନ୍ଦ କହ‌ନ୍ତି ଏହା କି କରିବୁ ନେଇ
ଆମ୍ଭର ଏ ଅଳଙ୍କାରେ ପ୍ରୟୋଜନ ନାହିଁ ॥୨୩୯॥
ଗୃହସ୍ଥ ହୋଇଣ ଯେବେ ଭାର୍ଯ୍ୟାକୁ ତେଜଇ
ଛ'ମାସର ଭାତ ଲୁଗା ଲେଖିଣ ଦିଅଇ ॥୨୪୦॥
ଏହି ଅଳଙ୍କାର ସବୁ ତୁମ୍ଭେ ଘେନିଯାଅ
ବିକି ଭାଙ୍ଗିକରି ଭାତ ଲୁଗା କରୁଥାଅ ॥୨୪୧॥
ଲକ୍ଷ୍ମୀଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ
ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ ॥୨୪୨॥
ମୋହ ତୁଲ୍ୟ ଆଉ ଯେଉଁ ଭାରିଜା ଆଣିବ
ଏହିସବୁ ଅଳଙ୍କାର ତାହାକୁ ଯେ ଦେବ ॥୨୪୩॥
ମୁହିଁ ଯାଉଅଛି ହୀନା ଅରକ୍ଷିତା ହୋଇ
ମୋର ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ ॥୨୪୪॥
ସତେ ଯଦି ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତ‌ଯାତ
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ॥୨୪୫॥
ବାରବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ
ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ॥୨୪୬॥
ମୁହିଁ ଚଣ୍ଡାଳୁଣୀ ଯେବେ ଟେକିଦେବି ଅନ୍ନ
ଭୋଜନ କରିବ ତେବେ କାଳୀୟ ଗଞ୍ଜନ ॥୨୪୭॥
ଏତେ ବୋଲି ଲକ୍ଷ୍ମୀ ଅଭିଶାପ ଦେଇଗଲେ
ଦେଉଳୁ ବାହାର ହୋଇ କେତେଦୂର ଗଲେ ॥୨୪୮॥
ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାଅନ୍ତି
ଦାସୀଙ୍କି ଅନାଇ ଲକ୍ଷ୍ମୀଦେବୀ ବୋଲୁଛନ୍ତି ॥୨୪୯॥
ମୁହିଁ ଯାଉଅଛି ହୀନା ଅରକ୍ଷିତା ହୋଇ
ମୋର ପଛେ ତୁମ୍ଭେମାନେ ଆସୁଛ କିମ୍ପାଇଁ ॥୨୫୦॥
ଏହି ପରି ହୋଇ ଯେବେ ପିତାଘର ଯିବି
ଚାରିଦିନ ମାତ୍ର ତ‌ହିଁ ରହି ନ ପାରିବି ॥୨୫୧॥
ଜଗନ୍ନାଥ ପ୍ରାୟ ବନ୍ଧୁ ପିତାଘର ଯିବେ
ତାଙ୍କୁ ଦେଖି ପିତା ମୋତେ ସମର୍ପିଣ ଦେବେ ॥୨୫୨॥
ଶାପ ଦେବା ଫଳ ମୋର ହେବ ଅକାରଣ
ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ ॥୨୫୩॥
ଏତେ ବୋଲି ଲକ୍ଷ୍ମୀଦେବୀ ମନେ ଚିନ୍ତାକଲେ
ବିଶ୍ୱକର୍ମାକୁ ତ ମାଏ ମନେ ସୁମରିଲେ ॥୨୫୪॥
ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲେ
ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲେ ॥୨୫୫॥
କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାମାୟୀ
ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁ ॥୨୫୬॥

Back to Top

§ 9 - ଲକ୍ଷ୍ମୀଦେବୀଙ୍କୁ ବିଶ୍ୱକର୍ମା ଓ ଅଷ୍ଟ ବେତାଳଙ୍କ ସହଯୋଗ (୨୫୭-୨୯୯) - Video Play Time: (0:56:00)

ଚାଣ୍ଡାଳୁଣୀ କହି ପ୍ରଭୁ ଦେଲେ ଘଉଡ଼ାଇ
ପାରିବୁକି ଖଣ୍ଡିଏ କୁଡ଼ିଆ ତୋଳିଦେଇ ॥୨୫୭॥  
ଆଜ୍ଞାମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲେ
ତିନିକୋଶ ପ୍ରରମାଣେ ଉଆସ ତୋଳିଲେ ॥୨୫୮॥
ସୁବର୍ଣ୍ଣର କାନ୍ଥମାନ ସବୁଘରେ କଲେ
ହୀରା ନୀଳା ମାଣିକ୍ୟ ଯେ ତ‌ହିଁ ଖଞ୍ଜାଇଲେ ॥୨୫୯॥
ଗଣ୍ଠିସ୍ଥଳେ ଅନେକ ମୁକୁତା ଲଗାଇଲେ
ପ୍ରବାଳର ସ୍ତମ୍ଭମାନ ତ‌ହିଁରେ ରଚିଲେ ॥୨୬୦॥
ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ
ବିଶ୍ୱକର୍ମାକୁ ବ‌ହୁତ ପ୍ରଶଂସା ଯେ କଲେ ॥୨୬୧॥
ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳିଗଲେ
ଅଷ୍ଟ ବେତାଳଙ୍କୁ ଡାକି ଦେବୀ ଆଜ୍ଞା ଦେଲେ ॥୨୬୨॥
ଅଷ୍ଟ ବେତାଳରେ ତୁମ୍ଭେ ଏମନ୍ତ କରିବ
ପ୍ରଥମେ ରୋଷାଇ ଶାଳେ ଯାଇଣ ପଶିବ ॥୨୬୩॥
ଷାଠିଏ ପଉଟି ଭୋଗ ଭୁଞ୍ଜିବ ଯେ ତ‌ହିଁ
ତେର ପୌଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ ॥୨୬୪॥
ଶାଗମୁଗ ମଧୁରୁଚି ତିକ୍ତ କାଞ୍ଜିରାଇ
ଆମ୍ବିଳ ଖାଇବ ଖଣ୍ଡ ଶାକର ମିଶାଇ ॥୨୬୫॥
ଅମୃତ ମଣୋହିମାନ ଭୋଜନ କରିବ
ହାଣ୍ଡିମାନ ନେଇ ଏକଠାବେ କଚାଡ଼ିବ ॥୨୬୬॥
ତ‌ହୁଁ ଯାଇଣ ଭଣ୍ଡାର ମଧ୍ୟରେ ପଶିବ
ବାଉନ କୋଟି ଭଣ୍ଡାର ବୋହିଣ ଆଣିବ ॥୨୬୭॥
କାଣି କଉଡ଼ି କଡ଼ାକର ଦ୍ରବ୍ୟ ନ ରଖିବ
ସବୁ ବୋହି ଆଣି ମୋର ପାଶେ ସମର୍ପିବ ॥୨୬୮॥
ବେତାଳ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁ
କେମନ୍ତ କରିଣ ତ‌ହୁଁ ଆଣିବୁ ବୁହାଇ ॥୨୬୯॥
ଜଗନ୍ନାଥ ମହାପ୍ରଭୁ ତ‌ହିଁ ଚେଇଁ ଥିବେ
ଆମ୍ଭଙ୍କୁ ଦେଖିଣ କାଳେ ପରାଭବ ଦେବେ ॥୨୭୦॥
ଶୁଣି କମଳିନୀ ନିଦ୍ରାବତୀକୁ ରାଇଲେ
ବ‌ହ‌ନ ମୋ ବୋଲକର ବୋଲିଣ ବୋଇଲେ ॥୨୭୧॥
ରାମକୃଷ୍ଣ ନୟନରେ ନିଦ୍ରା ତୁ ଘାରିବୁ
କାଲି ବେଳ ଦୁଇଘଡ଼ି ଯାଏ ନ ଛାଡ଼ିବୁ ॥୨୭୨॥
ଆଜ୍ଞା ପାଇ ନିଦ୍ରାବତୀ ବେଗେ ଚଳିଗଲେ
ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ ॥୨୭୩॥
ପାକଶାଳାରେ ବେତାଳେ ପ୍ରବେଶ ହୋଇଲେ
ତ‌ହିଁ ଥିବା ପାକଦ୍ରବ୍ୟ ସମସ୍ତ ଖାଇଲେ ॥୨୭୪॥
ହାଣ୍ଡିମାନ ଏକ ଠାବେ ନେଇ କଚାଡ଼ିଲେ
ଭଣ୍ଡାର ଘରରେ ଅଷ୍ଟ ବେତାଳେ ପଶିଲେ ॥୨୭୫॥
ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତ‌ହିଁ
ବାଉନ କୋଟି ଭଣ୍ଡାର ଆଣିଲେ ବୁହାଇ ॥୨୭୬॥
ରାତ୍ର ଷୋଳ ଘଡ଼ିଯାକେ ବେତାଳ ଯେ ତ‌ହିଁ
କୁଲାରୁ ଛାଞ୍ଚୁଣି ଯାକେ ସବୁ ନେଲେ ବୋହି ॥୨୭୭॥
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ
ତୁମ୍ଭେ ଆଜି ପୁତ୍ରପଣ କରିଲ ବୋଇଲେ ॥୨୭୮॥
ପ୍ରଶଂସା କରିଣ ମାଏ ବଚନ ଯେ କହି
ସବୁ ଦ୍ରବ୍ୟ ଆଣିଲ ତ ରତ୍ନଖଟ ନାହିଁ ॥୨୭୯॥
ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟ ସେ ଖଟ ଅଟଇ
ଯାଅରେ ବେତାଳେ ସେହି ଖଟ ଆଣ ବୋହି ॥୨୮୦॥
ଯେତେବେଳେ ଜଗନ୍ନାଥ ଦରିଦ୍ର ହୋଇବେ
ରତ୍ନଖଟ ବିକିକରି ଦିନ କଟାଇବେ ॥୨୮୧॥
ଜଗନ୍ନାଥ ପ୍ରଭୁ ଯେବେ ମୋତେ ନ ଖୋଜିବେ
ନାରୀଙ୍କୁ ପରୁଷମାନେ ଆଉ ନ ଲୋଡ଼ିବେ ॥୨୮୨॥
ମୋତେ ଛାଡ଼ି ପ୍ରଭୁ ଯେବେ କରିବେ ଟି ଘର
କଳିଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର ॥୨୮୩॥
ବେତାଳେ ବୋଲୁଅଛନ୍ତି ରମା ମୁଖ ଚାହିଁ
ରତ୍ନଖଟେ ଶୋଇଛନ୍ତି ଦୁଇଗୋଟି ଭାଇ ॥୨୮୪॥
କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ
ପୁଣି ତ‌ହିଁ ଶୋଇଛନ୍ତି କାଳୀୟ ଗଞ୍ଜନ ॥୨୮୫॥
ସାତଗୋଟି ପର୍ବତରୁ ଅଟଇ ଯେ ଗରୁ
ନାମ ବ‌ହି ଅଛନ୍ତି ଅଚଳ ମହାମେରୁ ॥୨୮୬॥
ମହାଲକ୍ଷ୍ମୀ ବୋଇଲେରେ ଏମନ୍ତ କରିବ
ଦଉଡ଼ିଆ ଖଟ ଏକ ଗୋଟି ଯେ ଆଣିବ ॥୨୮୭॥
ରମକୃଷ୍ଣ ଦୁହିଁଙ୍କୁ ଯେ ଗଡ଼ାଇଣ ଦେବ
ଶୋଇବାର ରତ୍ନଖଟ ବୋହିଣ ଆଣିବ ॥୨୮୮॥
ଏହା ଶୁଣି ବେତାଳେ ଯେ ଶୀଘ୍ର ଚଳିଗଲେ
ରତ୍ନ‌ଖଟ ପାଶେ ଦଉଡ଼ିଆ ଖଟ ଦେଲେ ॥୨୮୯॥
ବଳରାମଙ୍କୁ ପ୍ରଥମେ ଧଇଲେକ ଯାଇ
ଦଉଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ ॥୨୯୦॥
ଏ ଉତ୍ତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ
ଦଉଡ଼ିଆ ଖଟ ଉପରକୁ ଗଡ଼ାଇଲେ ॥୨୯୧॥
ଶୋଇବାର ରତ୍ନ‌ଖଟ ଆଣିଲେକ ବୋହି
ମହାଲକ୍ଷ୍ମୀ ଆଗେ ଦେଲେ ଆନ‌ନ୍ଦରେ ନେଇ ॥୨୯୨॥
ବଳରାମ ପିନ୍ଧିବାର ପାଟ ବୋହି ନେଲେ
ଜଗନ୍ନାଥ ପିନ୍ଧିବାର ନେତ ଘେନିଗଲେ ॥୨୯୩॥
ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ
ଅଷ୍ଟ ବେତାଳଙ୍କୁ ବର ଯାଚିଣ ଯେ ଦେଲେ ॥୨୯୪॥
ଆରେ ଅଷ୍ଟ ବେତାଳରେ ଏମନ୍ତ କରିବ
ବୈକୁଣ୍ଠ ପୁରରେ ଯାଇ ସୁଖରେ ରହିବ ॥୨୯୫॥
ଆଜ୍ଞା ପାଇଣ ବେତାଳଗଣ ବେଗେ ଗଲେ
ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ ॥୨୯୬॥
ମହାଲକ୍ଷ୍ମୀ ତ‌ହୁଁ ଏକ କଥା ବିଚାରିଲେ
ସରସ୍ୱତୀ ଦେବୀଙ୍କି ଯେ ହୃଦେ ସୁମରିଲେ ॥୨୯୭॥
ବୋଇଲେ ଗୋ ସରସ୍ୱତୀ ଏମନ୍ତ କରିବ
ରାଜ୍ୟ ରାଜ୍ୟ ହୋଇ ଘରେ ଘରେ ବୁଲୁଥିବ ॥୨୯୮॥
ସର୍ବଦ୍ୱାରେ ଜଗନ୍ନାଥ ବୁଲିବେକ ଯାଇ
ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୁହି ॥୨୯୯॥

Back to Top

§ 10 - ଜଗନ୍ନାଥ ଓ ବଳଦେବଙ୍କ ଭିକ୍ଷା କରିବାକୁ ନିଷ୍ପତ୍ତି (୩୦୦-୩୨୯) - Video Play Time: (1:02:00)

ଆରାମ ଦାୟିନୀ ରାତି ସୁଖରେ ପାହିଲା
ଦିନ ଦୁଇଘଡ଼ିକରେ ନିଦ୍ରା ଯେ ଭାଙ୍ଗିଲା ॥୩୦୦॥
ବଳରାମ କହୁଛନ୍ତି ଶୁଣରେ କହ୍ନାଇ
ଗ‌ହଳ ଚ‌ହଳ ଆଜି କିଛି ଶୁଭୁନାହିଁ ॥୩୦୧॥
ମୁଦିରଥ ପଣ୍ଡାର ତ ତୁଣ୍ଡ ଶୁଭୁନାହିଁ
ଦାସୀ ପରିବାରୀ ଯେ ପରିଛା ଗଲେ କାହିଁ ॥୩୦୨॥
ଶ୍ରୀମୁଖ ପଖାଳିବାକୁ ଜଳ ନ ମିଳଇ
କି ବୁଦ୍ଧି କରିବା ଏବେ କହରେ କହ୍ନାଇ ॥୩୦୩॥
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ
ଲକ୍ଷ୍ମୀ ଛାଡ଼ିଗଲାରୁ ଯେ ଏମନ୍ତ ହୁଅଇ ॥୩୦୪॥
ବଳରାମ କହୁଛନ୍ତି ଶୁଣରେ କହ୍ନାଇ
ଭାର୍ଯ୍ୟା ଛାର ଏମନ୍ତକୁ କହୁଅଛୁ ତୁହି ॥୩୦୫॥
କାହାର ଭାରିଜା ଯେବେ ଋଷି ହଜିଯାଏ
ତାର ଗୃହସ୍ଥ କି ଭାତ ରାନ୍ଧିଣ ନ ଖାଏ ॥୩୦୬॥
ଭଣ୍ଡାର ଘରକୁ ବିଜେ କଲେ ଦୁଇଭାଇ
ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ତ ନାହିଁ ॥୩୦୭॥
ବଳରାମ କହୁଛନ୍ତି କାହିଁ କିସ ହେଲା
ବାଉନ କୋଟି ଭଣ୍ଡାର କେ ଘେନିଣ ଗଲା ॥୩୦୮॥
ଲକ୍ଷେ ଜୀବ ଖାଇଲେ ବୋହିଲେ ନ ସରଇ
କ୍ଷଣକ ଭିତରେ କିଏ ଘେନିଗଲା ବୋହି ॥୩୦୯॥
ଶୁଦ୍ଧ ସୁବର୍ଣ୍ଣର ଯେଉଁ ଧନ ହୋଇଥିଲା
କାଣି କଉଡ଼ି କଡ଼ାକୁ ସମାନ ନୋହିଲା ॥୩୧୦॥
ସେଠାରୁ ବାହାରି ଗଲେ ଦୁଇଗୋଟି ଭାଇ
ପାକଶାଳା ଦୁଆରେ ଯେ ପ୍ରବେଶିଲେ ଯାଇ ॥୩୧୧॥
ବଳରାମ ଠିଆହେଲେ ଦୁଆର ମୁହଁକୁ
ଜଗନ୍ନାଥ ପଶିଗଲେ ରୋଷାଇ ଘରକୁ ॥୩୧୨॥
ଦେହରେ ଲାଗିଲା କଳା ମୁହଁରେ ଲାଗିଲା
କଳା ଶ୍ରୀମୁଖ ଗୋଟିକ ଝଲସି ଦିଶିଲା ॥୩୧୩॥
ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ
ବଡ଼ଖିଆ ବୋଲି ତୋତେ କହ‌ନ୍ତି ଜଗତ ॥୩୧୪॥
ମୋତେ ଅନ୍ନ ନ ଦେଇଣ ସବୁ ଖାଉ ତୁହି
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ ॥୩୧୫॥
ଅନ୍ନ କାହିଁ ମିଳିବ ଯେ ଚୁଲି ସୁଦ୍ଧା ନାହିଁ
ନ ବୁଝି ଏପରି କିମ୍ପା କହୁଛ ଗୋସାଇଁ ॥୩୧୬॥
ସେଠାରୁ ଯାଇ ଦେଖିଲେ ଧାନର ମରାଇ
ଲକ୍ଷ ଲକ୍ଷ ଭରଣ ଯେ ଧନ ତହିଁ ଥାଇ ॥୩୧୭॥  
ଦେଖିଲେ ତ‌ହିଁରେ ଧନ ଗୋଟିଏ ଯେ ନାହିଁ
ତ‌ହୁଁ ଗଲେ ବେନିଭାଇ ନିରାଶ ଯେ ହୋଇ ॥୩୧୮॥
ଇନ୍ଦ୍ରଦ୍ୟୁମ୍ନ କୂଳରେ ଯେ ପ୍ରବେଶିଲେ ହୋଇଲେ
ଟୋପାଏ ସୁଦ୍ଧା ସେ ପାଣି ନ ଦେଖିଲେ ତ‌ହିଁ ॥୩୧୯॥
ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ
ସେହିଦିନ ଉପବାସ କରିଣ ରହିଲେ ॥୩୨୦॥
ବେଳ ଦୁଇଘଡ଼ିକରେ ନିଦ୍ରା ଯେ ଭାଜିଲା
ମୁଖ ପ୍ରକ୍ଷାଳନ ଅର୍ଥେ ପାଣି ନ ମିଳିଲା ॥୩୨୧॥
କି ବୁଦ୍ଧି କରିବା ଏବେ ବୁଦ୍ଧି ଦିଶୁନାହିଁ
ବଳରାମ କହୁଛନ୍ତି ଶୁଣରେ କହ୍ନାଇ ॥୩୨୨॥
କାଲି ଉପବାସରେ ରହିଲେ ବେନି ଭାଇ
ଆଉ ପାଦେ ଯିବାକୁ ତ ବଳ ପାଉନାହିଁ ॥୩୨୩॥
କେଉଁଠାରୁ ଯେବେ ଆଜି ନ ମିଳିବ ଅନ୍ନ
କେମନ୍ତ ପ୍ରକାରେ ଆମ୍ଭେ ଧରିବା ଜୀବନ ॥୩୨୪॥
ବଳରାମ କହୁଛନ୍ତି ଶୁଣ ଆରେ ବାବା
ଦ୍ୱାରେ ଦ୍ୱାରେ ଭିକ୍ଷା କରି ଜୀବନ ପୋଷିବା ॥୩୨୫॥
କାନ୍ଧରେ ପକାଇ ଛିଣ୍ଡା ଉତ୍ତରୀ ପଇତା
ହସ୍ତରେ ଧରିଲେ ଦୁଇଭାଇ ଭଙ୍ଗାଛତା ॥୩୨୬॥
ଚିତା ଘେନିବାକୁ ଜଳ କାହିଁ ନ ପାଆନ୍ତି
ଯାହା ଘରଠାକୁ ପାଣି ମାଗିବାକୁ ଯା'ନ୍ତି ॥୩୨୭॥
ଚୋର ଖଣ୍ଟ ବୋଲି ମାରି ଘଉଡ଼ାଇ ଦ୍ୟନ୍ତି
ସେ ଠାବରୁ ଦୁଇ ଭାଇ ଭୟେ ପଳାଅନ୍ତି ॥୩୨୮॥
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ
ବଡ଼ପଣ୍ଡା ଘରକୁ ହେ ଚାଲ ଏବେ ଯାଇ ॥୩୨୯॥  

Back to Top

§ 11 - ଲକ୍ଷ୍ମୀଛଡ଼ା ଜଗନ୍ନାଥ ଓ ବଳଦେବଙ୍କ ହଟହଟା (୩୩୦-୩୫୮) - Video Play Time: (1:07:00)

ହସ୍ତ ଧରାଧରି ହୋଇ ବେନି ଭାଇ ଗଲେ
ବଡ଼ପଣ୍ଡା ଘର ଠାରେ ପ୍ରବେଶ ହୋଇଲେ ॥୩୩୦॥
ବଧୁ ତାର କହଇ ଯେ ଶାଶୁ ଆଗେ ଯାଇ
ବ୍ରହ୍ମଣ ଯେ ଦୁଇଗୋଟି ଆସିଛନ୍ତି ଧାଇଁ ॥୩୩୧॥
ଶାଶୁ ରାଣ୍ଡି ତାହାଙ୍କୁ ଯେ ଚିହ୍ନି ନ ପାରିଲା
ଧାଇଁ ଆସି ବେଗେ ଦାଣ୍ଡ କବାଟ କିଳିଲା ॥୩୩୨॥
ଆସ ଆସ ବୋହୁଏ ଲୋ ଠେଙ୍ଗା ବାଡ଼ି ଧରି
ଚୋର କି ଖଣ୍ଟ ଏ ଦୁହେଁ ଦେବା ଆଡ଼କରି ॥୩୩୩॥
ଏହା ଶୁଣି ଦୁଇ ଭାଇ ତ‌ହୁଁ ପଳାଇଲେ
ସାମ‌ବେଦ ଯଜୁର୍‌ବେଦ ଦୂରେ ଉଚ୍ଚାରିଲେ ॥୩୩୪॥
ଶୁଣି ଶୁଷ୍କ ତରୁଗଣ ପଲ୍ଲବୀ ଉଠିଲେ
ଭିକ୍ଷୁକ ବ୍ରାହ୍ମଣ ବୋଲି ବ୍ରାହ୍ମଣୀ ଚିହ୍ନିଲେ ॥୩୩୫॥
ଦୁଇ ଭାଇଙ୍କି ଯେ ତ‌ହୁଁ ଡାକି ବସାଇଲା
ଖୁଦ ମଳୁଖ ମିଶାଇ ସତ୍ୱରେ ରାନ୍ଧିଲା ॥୩୩୬॥
ଅଫିଟା କଦଳୀମଞ୍ଜ ଦୁଇଖଣ୍ଡ ଆଣି
ବେନି ଭାଇ ପକାଇଣ ସିଞ୍ଚିଲେକ ପାଣି ॥୩୩୭॥
କଂସା ଘେନି ବ୍ରାହ୍ମଣୀ ଯେ ଅନ୍ନ ଆଣିଗଲା
ଅନ୍ନ କି ବାଢ଼ିବ ତାର ହାଣ୍ଡି ଉଭାଇଲା ॥୩୩୮॥
ଲକ୍ଷ୍ମୀଦ୍ରୋହୀ ପୁରୁଷ ଏ ବୋଲିଣ ଯାଣିଲା
ପାକଶାଳାରୁ ଲେଉଟି ପାଶରେ ମିଳିଲା ॥୩୩୯॥
ଦୁଇଗୋଟି ଭାଇଙ୍କର ହସ୍ତକୁ ଧଇଲା
କଟୁ କଥା କହି ତାଙ୍କୁ ଦାଣ୍ଡରେ ଛାଡ଼ିଲା ॥୩୪୦॥
ତ‌ହୁଁ ଦୁଇଜଣ ଯେ ନିରାଶ ହୋଇଗଲେ
କବୀର ସାହିରେ ଦୁହେଁ ଯାଇ ପ୍ରବେଶିଲେ ॥୩୪୧॥
କ୍ଷୁଧାର୍ଥ ବ୍ରାହ୍ମଣ ବୋଲି କବୀର ଜାଣିଲେ
ଖଇ ଚାରି ପାଞ୍ଚ ମାଣ ଆଣି ବେଗେ ଦେଲେ ॥୩୪୨॥
ଅନ୍ତର୍ଗତେ ଜାଣିଲେ ଯା ଦେବୀ କମଳିନୀ
ପବନ‌କୁ ଡାକି ଆଜ୍ଞା ଦେଲେ ସେହିକ୍ଷଣି ॥୩୪୩॥
ଆରେ ପବନ ତୁହି ତ ବେଗେ ଚଳିଯିବୁ
ଖଇ ଚାରି ପାଞ୍ଚ ମାଣ ଉଡ଼ାଇଣ ଦେବୁ ॥୩୪୪॥
ଆଜ୍ଞା ପାଇ ପବନ ଯେ ବେଗେ ଚଳିଗଲା
ପ୍ରଭୁଙ୍କ ଆଗରୁ ଖଇ ଉଡ଼ାଇଣ ନେଲା ॥୩୪୫॥
ବଳରାମ କହୁଛନ୍ତି ଶୁଣରେ କହ୍ନାଇ
ପ୍ରାଣ ଗଲାବେଳେ ଜାତି କୂଳ ଲୋଡ଼ୁ କାହିଁ ॥୩୪୬॥
ପଦ୍ମ ପୋଖରୀକୁ ଚାଲ ଯିବା ବେନି ଭାଇ
ପଦ୍ମ ମୂଳ ଖାଇ ପ୍ରାଣ ବଞ୍ଚାଇବା ତ‌ହିଁ ॥୩୪୭॥
ଫଳ ପୁଷ୍ପ କରି ତ‌ହୁଁ ଗୁଡ଼ିଏ ଆଣିବା
ଅଧିକ ମିଳିଲେ କିଛି ସଞ୍ଚିଣ ରଖିବା ॥୩୪୮॥
ଏମନ୍ତ ବିଚାର କରି ଦୁଇ ଭାଇ ଗଲେ
ପଦ୍ମ ପୁଷ୍କରିଣୀରେ ଯେ ପ୍ରବେଶ ହୋଇଲେ ॥୩୪୯॥
ପଦ୍ମ ପୋଖରୀରେ ସାତତାଳ ପାଣି ଥିଲା
ଲକ୍ଷ୍ମୀ ଆଜ୍ଞା ମାତ୍ରେ ସବୁ ପଙ୍କ ହୋଇଗଲା ॥୩୫୦॥
ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା
ଜଳ ନାହିଁ ଫଳ ଏଥୁ କାହୁଁ ବା ପାଇବା ॥୩୫୧॥
ଏହା କହି ପୁଣି ଦୁଇ ଭାଇ ଚଳିଗଲେ
ଯାଉ ଯାଉ ବାଟେ ଏକ ଯୋଗୀକି ଭେଟିଲେ ॥୩୫୨॥
ଜଗନ୍ନାଥ କହୁଛନ୍ତି ଶୁଣ ଆହେ ନାଥ
ତୁମ୍ଭର ଥାଳରୁ ଯେ ଆମ୍ଭଙ୍କୁ ଦିଅ ଭାତ ॥୩୫୩॥
ସତ୍ୟାନନ୍ଦ ବୋଲେ ରାମକୃଷ୍ଣ ମୁଖ ଚାହିଁ
ଲକ୍ଷ୍ମୀଦ୍ରୋହି ହୋଇଅଛ ତୁମ୍ଭେ ଦୁଇ ଭାଇ ॥୩୫୪॥
ଦୁଧ ଅନ୍ନରେ ଯେ ମୋର ଥାଳ ପୁରିଥିଲା
ତୁମ୍ଭେ ମାଗନ୍ତେଣ ଅନ୍ନ ଶୂନ୍ୟ ହୋଇଗଲା ॥୩୫୫॥
ଅନ୍ନ ଜଳ ନ ମିଳିବ ତୁମ୍ଭଙ୍କୁ ଯେ କାହିଁ
ସମୁଦ୍ର କୂଳକୁ ବେଗେ ଯାଅ ଦୁଇ ଭାଇ ॥୩୫୬॥
ମୁହିଁ ଯାଇଥିଲି ମୋତେ ଅନ୍ନ ଥିଲେ ଦେଇ
ଖାଇଲେ ବୋହିଲେ ସେହି ଅନ୍ନ ନ ସରଇ ॥୩୫୭॥
ଏହି ରୂପେ ସତ୍ୟାନନ୍ଦ ବାଟ କହିଦେଲେ
ଯିବେ ବୋଲି ଦୁଇ ଭାଇ କମର ବାନ୍ଧିଲେ ॥୩୫୮॥

Back to Top

§ 12 - ଲକ୍ଷ୍ମୀଙ୍କ ନୂଆ ଉଆସରେ ଜଗନ୍ନାଥ ଓ ବଳଦେବ (୩୫୯-୪୧୫) - Video Play Time: (1:11:00)

ହଟି କମଳିନୀ ତ‌ହୁଁ ହଟ ଭିଆଇଲେ
ସୂର୍ଯ୍ୟଙ୍କୁ ରାଇଣ ଦେବୀ ବେଗେ ଆଜ୍ଞା ଦେଲେ ॥୩୫୯॥
ଅତିଶୀଘ୍ର ଟାଣ ଖରା କର ତୁମ୍ଭେ ଯାଇ
ବାଲି ମାଟି ତାତୁ ବେଗେ ଡ‌ହ ଡ‌ହ ହୋଇ ॥୩୬୦॥
ତାତିବ ଖରାରେ ଯେହ୍ନେ ଭାଜିବାର ବାଲି
ପାଦେ ମାତ୍ର ତ‌ହିଁ କେହି ନ ପାରିବେ ଚାଲି ॥୩୬୧॥
ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ
ଏଡ଼େ ବଡ଼ ଖରାରେ ମୁଁ ଚାଲି ନ ପାରଇ ॥୩୬୨॥
ବେଗେ ବେଗେ ହୋଇ ତୁମ୍ଭେ ଯାଉଅଛ ଧାଇଁ
ବୁଦ୍ଧି ଦିଶୁନାହିଁ ଏବେ କିସ କରିବଇଁ ॥୩୬୩॥
ଶୁଣି ନ ଶୁଣିଲା ପରି ବଳଦେବ ଗଲେ
କମଳାଙ୍କ ସିଂହଦ୍ୱାରେ ପ୍ରବେଶ ହୋଇଲେ ॥୩୬୪॥
ସିଂହଦ୍ୱାରେ ପ୍ରବେଶିଣ ଡାକିଲେକ ଯହୁଁ
ଡାକ ଶୁଣି ଦାସୀମାନେ ଅଇଲେକ ତ‌ହୁଁ ॥୩୬୫॥
କେଉଁ ଦାସୀ କହୁଅଛି ଶୁଣ ଆଗୋ ସ‌ହୀ
ଏପରି କାଙ୍ଗାଳ ମୁଁ ଯେ କାହିଁ ଦେଖିନାହିଁ ॥୩୬୬॥
ଏପରି ମୋଟା ହୋଇଣ ଗୋଟାଏକ ଥିଲା
ଆମ୍ଭ ଠାକୁରାଣୀଙ୍କୁ ଯେ ଘରୁ ତଡ଼ିଦେଲା ॥୩୬୭॥
ଏହି ରୂପେ ଦାସୀମାନେ କୁହାକୁହି ହେଲେ
ବେକରେ ହାତ ଦେଇଣ ଦାଣ୍ଡରେ ଛାଡ଼ିଲେ ॥୩୬୮॥
ବଳରାମ ପ୍ରଭୁ ତ‌ହିଁ ଲେଉଟି ଅଇଲେ
ଜଗନ୍ନାଥ ଠାକୁରଙ୍କୁ ବାଟରେ ଦେଖିଲେ ॥୩୬୯॥
ବଳରାମ କହୁଛନ୍ତି ଶୁଣରେ କହ୍ନାଇ
ଦାସୀମାନେ ଆସି ମୋତେ ଦେଲେ ଘଉଡ଼ାଇ ॥୩୭୦॥
ଜଗନ୍ନାଥ କହୁଛନ୍ତି କି ବୁଦ୍ଧି କରିବା
କେମନ୍ତ ପ୍ରକାରେ ଆମ୍ଭେ ଜୀବନ ଧରିବା ॥୩୭୧॥
ଆଉଥରେ ଚାଲ ବେନି ଭାଇ ଫେରିଯିବା
ବିନୟ କରିଣ ଅନ୍ନ ଦାସୀଙ୍କୁ ମାଗିବା ॥୩୭୨॥
ବଳରାମ କହୁଛନ୍ତି ପଛେ ଆମ୍ଭେ ଥିବୁ
ଆଗରେ ଥାଇଣ ଅନ୍ନ ତୁହି ଯେ ମାଗିବୁ ॥୩୭୩॥
ଏତେ କହି ସିଂହଦ୍ୱାରେ ପ୍ରଭୁ ବିଜେକଲେ
ମନ୍ଦିରର ଶୋଭା ଦେଖି ଆଶ୍ଚର୍ଯ୍ୟ ହୋଇଲେ ॥୩୭୪॥
ବଳରାମ କହିଲେ ଯେ ଶୁଣରେ କହ୍ନାଇ
ପଞ୍ଚମ ସ୍ୱରରେ ଆଗ ବେଦ ପଢ଼ ତୁହି ॥୩୭୫॥  
ଜଗନ୍ନାଥ ପ୍ରଭୁ ଯହୁଁ ଏମନ୍ତ ଶୁଣିଲେ
ଓଁକାର ଶବଦ କରି ବେଦ‌ଧ୍ୱନି କଲେ ॥୩୭୬॥
ଋକ୍, ସାମ, ଯଜୁଃ ଅଥର୍ବ ଯେ ଚାରି ବେଦ
ବ୍ରହ୍ମାଣ୍ଡ ପୁରିଉଠିଲା ଗ‌ହଗ‌ହ ନାଦ ॥୩୭୭॥
ପଲଙ୍କ ଉପରେ ଯେ କମଳା ଶୋଇଥିଲେ
ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲେ ॥୩୭୮॥
କୋଟି କୋଟି ଜନ୍ମର ପାତକ ହେଲା କ୍ଷୟ
ମୋର ଘରେ ବିଜେ କଲେ ପ୍ରଭୁ ଦେବରାୟ ॥୩୭୯॥
ପଚାର ପଚାର ଦାସୀ ପଚାର ଲୋ ଯାଇ
କିସ ମାଗୁଛନ୍ତି ଯେ ବ୍ରାହ୍ମଣ ବେନି ଭାଇ ॥୩୮୦॥
ଚାଲିଯାଇ ମୁଦୁ୍ସୁଲି ତାଙ୍କୁ ପଚାରିଲେ
କି ମାଗୁଛ ପଣ୍ଡାମାନେ କହ ତୁମ୍ଭେ ଭଲେ ॥୩୮୧॥
ଜଗନ୍ନାଥ କହୁଛନ୍ତି ଦାସୀମୁଖ ଚାହିଁ
ଅନ୍ନ ଗଣ୍ଡାଏକ ତୁମ୍ଭେ ପାରିବକି ଦେଇ ॥୩୮୨॥
ଏମନ୍ତ ଶୁଣିଣ ଦାସୀମାନେ ଚଳିଗଲେ
ଲକ୍ଷ୍ମୀ ଠାକୁରାଣୀ ଆଗେ ବେଗେ ସେ ବୋଇଲେ ॥୩୮୩॥
ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି
ମନେ ବିଚାର କରନ୍ତି ଲକ୍ଷ୍ମୀ ଠାକୁରାଣୀ ॥୩୮୪॥
ଏ କଥା ଅରଜି ଅଛି ଚଣ୍ଡାଳୁଣୀ ମୁହିଁ
ଏବେ ଦାସୀମାନେ ଲୋ ପଚାର ବେଗେ ଯାଇ ॥୩୮୫॥
ବ୍ରାହ୍ମଣ ହୋଇ ମୋ ଘରେ କି ରୂପେ ଖାଇବେ
ଚଣ୍ଡାଳୁଣୀ ଅନ୍ନ ଖାଇ ଅପବାଦ ନେବେ ॥୩୮୬॥
ଏ ମୋହର ଦ୍ରବ୍ୟ ତାଙ୍କୁ ଛୁଇଁ ନ ଯୋଗାଇ
ଜାଣୁ ଜାଣୁ ମୁଁ କେମନ୍ତ ପ୍ରକାରରେ ଦେଇ ॥୩୮୭॥
ଠାକୁରାଣୀ ସମୀପରୁ ଦାସୀମାନେ ଗଲେ
ବ୍ରାହ୍ମଣଙ୍କ ଆଗେ ଯାଇ ଏମନ୍ତ କହିଲେ ॥୩୮୮॥
ଦାସୀଙ୍କ ମୁଖରୁ ଯେ ଏମନ୍ତ ବାକ୍ୟ ଶୁଣି
କ୍ଷୁଧାତୁର ହୋଇଣ କହ‌ନ୍ତି ହଳପାଣି ॥୩୮୯॥
ନୂଆ ହାଣ୍ଡି ନୂଆ ସଞ୍ଚା ଦେଇ କି ପାରିବୁ
ଏମନ୍ତ ବୋଇଲେ ଆମ୍ଭେମାନେ ଯେ ଖାଇବୁ ॥୩୯୦॥
ଦାସୀମାନେ କହ‌ନ୍ତି ଲକ୍ଷ୍ମୀଙ୍କ ଆଗେ ଯାଇ
ହାତେ ରାନ୍ଧି ଭୋଜନ କରିବେ ଦୁଇ ଭାଇ ॥୩୯୧॥
ଏହା ଶୁଣି ମହାଲକ୍ଷ୍ମୀ ସନ୍ତୋଷ ହୋଇଲେ
ଦାସୀଙ୍କ ହସ୍ତରେ ହାଣ୍ଡି ଦଶଗୋଟି ଦେଲେ ॥୩୯୨॥
ଚାଉଳ ପଉଟିଏ ନେଇ ଛାମୁରେ ରଖିଲେ
ଲେଉଟିଆ ଶାଗ ନେଇ ପୁଳାଏକ ଦେଲେ ॥୩୯୩॥
ଆଳୁ ସାରୁ କଦଳୀ ଯେ ବଡ଼ି ବାଇଗଣ
ଦୁଧ ଦ‌ହି ଛେନା ଯେ ଶର୍କରା ଦେଲେ ପୁଣ ॥୩୯୪॥
ଏବେ ଯେତେ ଇଚ୍ଛା ସେତେ ଭୁଞ୍ଜ ହେ ବୋଇଲେ
ଗୃହେ ମହାଲକ୍ଷ୍ମୀ ଥାଇ ବିଚାର ଯେ କଲେ ॥୩୯୫॥
ହାତେ ରାନ୍ଧିଣ ଭୁଞ୍ଜିବେ ଯଦି ଦୁଇ ଭାଇ
ନାରୀଙ୍କୁ ପୁରୁଷେ ଆଉ ଲୋଡ଼ିବେ କିମ୍ପାଇଁ ॥୩୯୬॥
ଲକ୍ଷ୍ମୀଦେବୀ କାଷ୍ଠ ଖଣ୍ଡେ ହାତରେ ଧଇଲେ
ଅଗ୍ନିର ସ୍ତମ୍ଭନ ମନ୍ତ୍ର ଦେବୀ ପାଠ କଲେ ॥୩୯୭॥
କଦାପି ଅଗ୍ନି ଦେବତା ତେଜ ନ ହୋଇବ
ହାଣ୍ଡି ନ ତାତିବ ଆଉ ପାଣି ନ ତାତିବ ॥୩୯୮॥
ଯେତେ କାଠ ଜଳୁଥିବା ଭଷ୍ମ ହୋଇଯିବ
କୁହୁଳି କରିଣ ତ‌ହୁଁ ଧୁଆଁ ହେଉଥିବ ॥୩୯୯॥
ଏମନ୍ତ ବୋଲିଣ ଯେ କମଳା ଆଜ୍ଞା ଦେଲେ
ସେହି ପ୍ରକାରେଣ ଅଗ୍ନି ଦେବତା ଯେ ଗଲେ ॥୪୦୦॥
ସବୁ କାଠ‌ଯାକ ତ‌ହିଁ ଅଙ୍ଗାର ହୋଇଲା
ତେବେ ସୁଦ୍ଧା ଯେ କିଞ୍ଚିତେ ପାଣି ନ ତାତିଲା ॥୪୦୧॥
ହଟି କମଳିନୀ ହଟ ଭିଆଇଲେ ଯେଣୁ
ହାଣ୍ଡିତଳେ କଳା ଟିକେ ନ ପଡ଼ିଲା ତେଣୁ ॥୪୦୨॥
ସୁଗନ୍ଧ ତଇଳ ଦେବୀ ଦେଲେ ପଠିଆଇ
ଦାସୀମାନେ କହୁଛନ୍ତି ବ୍ରାହ୍ମଣଙ୍କୁ ଯାଇ ॥୪୦୩॥
ପାକସିଦ୍ଧି ହେଲା କି ନ ହେଲା ହେ ଗୋସାଇଁ
ତଇଳ ଲଗାଇ ସ୍ନାନ କର ବେଗେ ଯାଇ ॥୪୦୪॥
ଜଗନ୍ନାଥ କହନ୍ତି ଯେ ପାଣି ନ ତାତିଲା
କି ପାକ କରିବୁ ବେଳ ଉଛୁର ହୋଇଲା ॥୪୦୫॥
ବଳରାମ କହୁଛନ୍ତି ଶୁଣରେ କହ‌୍ନାଇ
ଅନ୍ନ ହୋଇଲାକି ନାହିଁ କହ ବେଗେ ତୁହି ॥୪୦୬॥
ଜଗନ୍ନାଥ କହୁଛନ୍ତି ଶୁଣ ଆହେ ଭାଇ
ଅନ୍ନ କି ହୋଇବ ଟିକେ ପାଣି ତାତି ନାହିଁ ॥୪୦୭॥
ବଳରାମ କହୁଛନ୍ତି ରେ ଅଧୁଆ ମୁହାଁ
ରାନ୍ଧି ନ ଜାଣି ତୁ ହୋଇଅଛୁ ରାନ୍ଧୁଣିଆ ॥୪୦୮॥
ତୁହି ଆଡ଼ ହୁଅ ମୁହିଁ ରାନ୍ଧୁଅଛି ଯାଇ
ଅନ୍ନ ରାନ୍ଧିବାକୁ ଗଲେ ବ୍ରହ୍ମାଣ୍ଡ ଗୋସାଇଁ ॥୪୦୯॥
ଫୁଙ୍କି ଫୁଙ୍କି ବଳରାମ ବିରକ୍ତ ହୋଇଲେ
କାଠ ଖଣ୍ଡେ ଘେନିଣ ଯେ ହାଣ୍ଡି ପିଟିଦେଲେ ॥୪୧୦॥
କ୍ଷୁଧାରେ ଯେ ଦୁଇଭାଇ ଆକୁଳ ହୋଇଲେ
କି ବୁଦ୍ଧି କରିବା ଜଗନ୍ନାଥଙ୍କୁ ବୋଇଲେ ॥୪୧୧॥
ଜଗନ୍ନାଥ ବୋଇଲେ ତ ବୁଦ୍ଧି ଦିଶୁନାହିଁ
କ୍ଷୁଧାରେ ଆତୁର ହେଉଅଛି ମୋର ଦେହୀ ॥୪୧୨॥
ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ
ଜାତି ପଛେ ଯାଉ ତାର ଘରେ ଖାଉ ଭାତ ॥୪୧୩॥
ଯେବେ ଏହା ଘରେ ଭାତ ଆମ୍ଭକୁ ନ ଦେବ
ଆମ୍ଭ ଦୁଇ ଭାଇଙ୍କର ମରଣ ହୋଇବ ॥୪୧୪॥
ଲେଉଟିଣ ଦାସୀ ଯାଇ ଲକ୍ଷ୍ମୀଙ୍କୁ କହିଲେ
ବ୍ରାହ୍ମଣ ତ ହାଣ୍ଡି ଭାଙ୍ଗି ଫୋପଡ଼ାଇ ଦେଲେ ॥୪୧୫॥

Back to Top

§ 13 - ମହାଲକ୍ଷ୍ମୀ ଜଗନ୍ନାଥ ଓ ବଳଦେବଙ୍କୁ ଭୋଜନ କରାଇଲେ (୪୧୬-୪୮୮) - Video Play Time: (1:26:00)

ଏହା ଶୁଣି ଲକ୍ଷ୍ମୀଦେବୀ ମନେ ଚିନ୍ତା କଲେ
କେତେ ଦୁଃଖ ଦୀନବନ୍ଧୁ ଦୁହେଁ ଯେ ପାଇଲେ ॥୪୧୬॥
ସୁବର୍ଣ୍ଣର ଚଟୁ ଗୋଟି ହସ୍ତରେ ଧଇଲେ
ରୋଷାଇ ଶାଳାକୁ ଲକ୍ଷ୍ମୀଦେବୀ ବିଜେ କଲେ ॥୪୧୭॥
ପ୍ରଥମେ ରାନ୍ଧିଲେ ମାଗୋ ବଗଡ଼ା ଯେ ଅନ୍ନ
ମୁଗ ମଧୁରୁଚି କ୍ଷୀରି ନାନାଦି ବ୍ୟଞ୍ଜନ ॥୪୧୮॥
ଆମ୍ବିଳ ଶାକର କଲେ କଦଳୀର ଭଜା
ଅତି ଯତ୍ନେ କଲେ ମାଏ ତିଅଣ ଯେ ମଞ୍ଜା ॥୪୧୯॥
ଷାଠିଏ ପଉଟି ସେ ରନ୍ଧନ କଲେ ଯାଇ
ବଗଡ଼ା ଭାତ ମହିମା କଳନା ନ ଯାଇ ॥୪୨୦॥
ଦୁଧପୁଳି କଲେ ମାତ ଘୃତପୁଳି କଲେ
ଅତି ଯତନରେ ମାଏ ସରପୁଳି କଲେ ॥୪୨୧॥
ଯେତେ ଦ୍ରବ୍ୟ ରାନ୍ଧିଛନ୍ତି ବ୍ରାହ୍ମଣଙ୍କୁ ରୁଚି
ବଡ଼ିର ମହୁର କଲେ ପକାଇଣ ସାଚି ॥୪୨୨॥
ସ‌ହସ୍ର ଆଟିକା ରାନ୍ଧି ଦ୍ରବ୍ୟ ସଜାଡ଼ିଲେ
ଯେ ଯାହା ସ୍ଥାନରେ ଯତ୍ନେ ରଖାଇଣ ଦେଲେ ॥୪୨୩॥
କର୍ପୂର ଛେନା ଶର୍କରା ମରିଚ ଗୋଳାଇ
ଷାଠିଏ ନଉତି ପଣା ରଖିଲେକ ତ‌ହିଁ ॥୪୨୪॥
ରଙ୍ଗବାଣ ପଇଡ଼ ସଙ୍ଗତେ ଛେନାପଣା
ଅଦା ମିଶା କରି ସେ ନବାତ ଖଣ୍ଡଛେନା ॥୪୨୫॥
ଲକ୍ଷ୍ମୀଙ୍କର ପାକଗୁଣ କେ କହି ପାରିବ
କ୍ଷଣକ ମଧ୍ୟରେ ମାଏ ସଜାଡ଼ିଲେ ସର୍ବ ॥୪୨୬॥
ସବୁଥିରୁ ଖଣ୍ଡିଏ ଖଣ୍ଡିଏ ରଖିଥିଲେ
ଭୋଜନ ଶେଷକୁ ପୋଡ଼ପିଠାଏ ରଖିଲେ ॥୪୨୭॥
ବୋଇଲେ ଦାସୀଙ୍କି କର ଅଙ୍ଗ ମରଦନ
ବ୍ରାହ୍ମଣ ବୋଲିଣ ମନେ ନ ପାଞ୍ଚିବ ଭିନ୍ନ ॥୪୨୮॥
ବ୍ରାହ୍ମଣମାନଙ୍କ ମୁହିଁ ଅଟେ ନିଜ ଦାସୀ
ଶୁଣିଣ ଆନନ୍ଦେ ଚଳିଗଲେ ସବୁ ଦାସୀ ॥୪୨୯॥
ଦାସୀମାନେ କହୁଛନ୍ତି ସୁବେଦୀ ଗୋସାଇଁ
ସ୍ନାନ କର ବେଗେ ଅଙ୍ଗ ମରଦନ ହୋଇ ॥୪୩୦॥
ତ‌ହୁଁ ସୁବାସ ଜଳରେ ଦୁହେଁ ସ୍ନାନ କଲେ
ଅଙ୍ଗ ପୋଛିବାକୁ ଗାମୁଛାଏ ଦାସୀ ଦେଲେ ॥୪୩୧॥
ପିନ୍ଧିବାକୁ ପିତାମ୍ବରୀ ପାଟ ଆଣିଦେଲେ
ସୁବେଶ ହୋଇଣ ଦୁଇ ଭାଇ ଯେ ବସିଲେ ॥୪୩୨॥
ବଳରାମ କହୁଛନ୍ତି ଶୁଣରେ କହ‌୍ନାଇ
ଏମନ୍ତ ପ୍ରକାରେ ମାନ୍ୟ କରେ କିସ ପାଇଁ ॥୪୩୩॥
ଏହା ଘରେ ପୁରୁଷ ତ ଜଣେ ଦିଶୁନାହିଁ
ଶୂଳି ଦେବା ପ୍ରାୟେ ଏହି ବିଚାର ଦିଶଇ ॥୪୩୪॥
ଚାଲ ଏବେ ପଳାଇଣ ଏହିଠାରୁ ଯିବା
କ୍ଷଣକ ମଧ୍ୟରେ ଆଉ ପ୍ରାଣ ନ ପାଇବା ॥୪୩୫॥
ଜଗନ୍ନାଥ କହୁଛନ୍ତି ଜ୍ୟେଷ୍ଠ ଭାଇ ଶୁଣ
ଏ ଘରର କର୍ତ୍ତା ଆଜ ହୋଇବେ ଆପଣ ॥୪୩୬॥
ବଳରାମ କହୁଛନ୍ତି ଶୁଣରେ କହ‌୍ନାଇ
ଏମନ୍ତ କହିବା ତୋର ଉଚିତ ନୁହଇଁ ॥୪୩୭॥
ଗୃହ ପରିଷ୍କାର ଦେବୀ ସ୍ୱହସ୍ତରେ କଲେ
ଗନ୍ଧ ଯେ ଚନ୍ଦନ ମାଏ ଛଡ଼ା ପକାଇଲେ ॥୪୩୮॥
ସୁବର୍ଣ୍ଣର ଥାଳି ସୁବର୍ଣ୍ଣର ଗିନାଝରି
ହାତଧୂଆ ପାଦ‌ଧୂଆ ସୁସଜ୍ଜିତ କରି ॥୪୩୯॥
ମଣୋହି କରିବା ବିଧି ଯେମନ୍ତ ଭିଆଣ
ସୁବର୍ଣ୍ଣର ପୀଠ ତ‌ହିଁ କଲେକ ନିର୍ମାଣ ॥୪୪୦॥
ମହାଲକ୍ଷ୍ମୀ କହୁଛନ୍ତି ଦାସୀ ମୁଖ ଚାହିଁ
ବେଗ କରି ପ୍ରଭୁଙ୍କୁ ଲୋ ଘେନିଆସ ଯାଇ ॥୪୪୧॥
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ
ବ୍ରାହ୍ମଣଙ୍କ ପାଶେ ଯାଇ ପ୍ରବେଶ ହୋଇଲେ ॥୪୪୨॥
ବିନୟରେ କହୁଛନ୍ତି ବ୍ରାହ୍ମଣ ଗୋସାଇଁ
ଭୋଜନ କରିବ ଚାଲ ସ୍ଥାନ ଅଛି ହୋଇ ॥୪୪୩॥
ବଳରାମ କହୁଛନ୍ତି ଶୁଣରେ କହ୍ନାଇ
ନାରୀଏ ଜଣେ ପୁରୁଷ କେହି ଏଥି ନାହିଁ ॥୪୪୪॥
ଭିତରକୁ ଯିବା ଆମ୍ଭ ଉଚିତ ନୁହଁଇ
ପତ୍ର ଦୁଇଖଣ୍ଡ ତୁମ୍ଭେ ଆଣ ବେଗେ ଯାଇ ॥୪୪୫॥
ଜଗନ୍ନାଥ କହୁଛନ୍ତି ଶୁଣ ଭାଇ ତୁମ୍ଭେ
ଏ ଘରର କର୍ତ୍ତା ଆଜ ହୋଇବା ଯେ ଆମ୍ଭେ ॥୪୪୬॥
କିମ୍ପା ତୁମ୍ଭେ ଭୟ କରୁଅଛ ଜ୍ୟେଷ୍ଠ ଭାଇ
ଦାତା ଦେଉଅଛି ଆମ୍ଭେ ଛାଡ଼ିବା କିମ୍ପାଇ ॥୪୪୭॥
ଭୟେ ବଳରାମ ସେ ଠାବରୁ ନ ଉଠନ୍ତି
ହସ୍ତ ଧରି ଘେନିଗଲେ କମଳାଙ୍କ ପତି ॥୪୪୮॥
ଠାବ ସଞ୍ଚାରେ ଯେ ବଳରାମ ନ ବସନ୍ତି
ହସ୍ତ ଧରି ବସାଇଲେ ଦେବ ଶିରୀପତି ॥୪୪୯॥
କମଳିନୀ କହୁଛନ୍ତି ତୁଳସୀ ବ୍ରାହ୍ମଣୀ
ଦେଢ଼ଶୂର ମୋର ଯେ ଅଟନ୍ତି ହଳପାଣି ॥୪୫୦॥
ତାହାଙ୍କୁ କେମନ୍ତେ ଅନ୍ନ ମୁହିଁ ଦେବି ନେଇ
ଭିତରେ ଥାଇଣ ମୁଁ ଯେ ଦେବଇଁ ବଢ଼ାଇ ॥୪୫୧॥
ବଡ଼ ସାନ ବୋଲି ଆଗେ ପଚାରିବୁ ଯାଇ
ବଡ଼ଠାରେ ଆଗ ଅନ୍ନ ପରଶିବୁ ନେଇ ॥୪୫୨॥
ଅନ୍ନଥାଳି ଘେନି ଆଗ ବ୍ରାହ୍ମଣୀ ଅଇଲା
ବଡ଼ ସାନ କେଉଁ ପଣ୍ଡା ବୋଲି ପଚାରିଲା ॥୪୫୩॥
ବଳରାମ ବୋଲୁଛନ୍ତି ହୋଇଲୁକି କାଣୀ
ବଡ଼ ସାନ କିଏ ତୋତେ ନ ଦିଶଇ ପୁଣି ॥୪୫୪॥
ଆମ୍ଭେ ବଡ଼ ବୋଲିଣ ଯେ ବଳରାମ କହି
ବ୍ରାହ୍ମଣୀ ବୋଇଲେ କୋପ କଲ କି ଗୋସାଇଁ ॥୪୫୫॥
ପ୍ରଥମ ଥାଳିରେ ଅନ୍ନ ବଳରାମେ ଦେଲା
ଭିତରକୁ ଆଉ ଅନ୍ନ ଆଣିବାକୁ ଗଲା ॥୪୫୬॥
ଆଉ ଏକ ଥାଳି ଅନ୍ନ ଆଣିଲା ବେଳକୁ
ଚାରି ଗ୍ରାସରେ ଖାଇଲେ ବଳରାମ ତାକୁ ॥୪୫୭॥
ଅନ୍ନଥାଳି ଘେନି ତରି ବ୍ରାହ୍ମଣୀ ଅଇଲା
ଏ ପଣ୍ଡାଙ୍କ ଅନ୍ନ‌ଯାକ କିଏ ଘେନିଗଲା ॥୪୫୮॥
ବଳରାମ ବୋଇଲେ କ୍ଷୁଧାର୍ତ୍ତ ହୋଇଥିଲୁ
ଆଗ କରି ଚାରି ଗ୍ରାସ ବେଗେ ଖାଇଦେଲୁ ॥୪୫୯॥
ହସିଲା ବ୍ରାହ୍ମଣୀ ଦୁଇଭାଇଙ୍କୁ ଅନାଇ
କୁଟୁମ୍ଭ ମାରିବା ପ୍ରାୟ ଦିଶୁଛ ଗୋସାଇଁ ॥୪୬୦॥
ପୁତ୍ର ଭାରିଜାକି ତୁମ୍ଭ ଦୁହିଙ୍କର ନାହିଁ
ପେଟ ଲାଗି ବୁଲୁଅଛ ଦେଶ ଦେଶ ହୋଇ ॥୪୬୧॥
ସ‌ହସ୍ର କାନ୍ଧି କଦଳୀ ରଖିଦେଲେ ନେଇ
ଷାଠିଏ ନଉତି ପଣା ବେଗେ ଦେଲେ ଥୋଇ ॥୪୬୨॥
ଯେଉଁପରି ପ୍ରଭୁଙ୍କର ମନ‌କୁ ରୁଚଇ
ସେହିପରି କମଳିନୀ ଦିଅନ୍ତି ପଠାଇ ॥୪୬୩॥
ଭୋଜନ ଶେଷକୁ ଯେ ବୋଲନ୍ତି ବଳରାମ
ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଛି ଉତ୍ତମ ॥୪୬୪॥
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ
ଲକ୍ଷ୍ମୀପରା ଭାର୍ଯ୍ୟାକୁ ପାଇବା ଆଉ କାହିଁ ॥୪୬୫॥
ଲକ୍ଷ୍ମୀଙ୍କୁ ଭର୍ତ୍ସନା କରି ଦେଲେ ଘଉଡ଼ାଇ
ବାହାରି ଗଲେ ସେ ତାଙ୍କ ଇଚ୍ଛା ହେଲା ଯହିଁ ॥୪୬୬॥
ଏମନ୍ତ ସମୟେ ପୋଡ଼ପିଠା ଦେଲେ ନେଇ
ଜଗନ୍ନାଥ କହୁଛନ୍ତି ବଳରାମ ଭାଇ ॥୪୬୭॥
ମୋର ମନକଥାକୁ ଯେ ଲକ୍ଷ୍ମୀ ଜାଣିଥାଇ
ଭୋଜନ ଶେଷକୁ ପୋଡ଼ପିଠାଏ ଦିଅଇ ॥୪୬୮॥
ଭୋଜନ ସାରିଣ ପ୍ରଭୁ ଆଚମନ କଲେ
କର୍ପୁର ତାମ୍ୱୁଳ ଦୁଇ ଭାଇ ଯେ ଭୁଞ୍ଜିଲେ ॥୪୬୯॥
ବାହାର ମେଲାରେ ପ୍ରଭୁ ବିଜେକଲେ ଯାଇଁ
ଗବାକ୍ଷ ଦ୍ୱାରରେ ଲକ୍ଷ୍ମୀ ଅଛନ୍ତି ଅନାଇ ॥୪୭୦॥
ପଚାର ପଚାର ଦାସୀ ପଚାର ଲୋ ଯାଇ
ବିଭା ହୋଇ ଅଛନ୍ତି କି ପଣ୍ଡା ଦୁଇ ଭାଇ ॥୪୭୧॥
ଏହା ଶୁଣି ଦାସୀମାନେ ବେଗେ ଚଳିଗଲେ
ବ୍ରାହ୍ମଣଙ୍କ ନିକଟରେ ପ୍ରବେଶ ହୋଇଲେ ॥୪୭୨॥
ପୁତ୍ର ଭାରିଯା ଅଛି କି କାହିଁ ତୁମ୍ଭ ଘର
କେଉଁ ରାଜ୍ୟେ ବାଡ଼ି ବୃତ୍ତି ଶାସନ ତୁମ୍ଭର ॥୪୭୩॥
ଜଗନ୍ନାଥ କହୁଛନ୍ତି ଶୁଣ ଦାସୀ ତୁହି
ବିବାହ ହେବାକୁ ଦ୍ରବ୍ୟ ଆମ୍ଭର ଯେ ନାହିଁ ॥୪୭୪॥
ଗୁଆ ବାଡ଼ି ଶାସନ ପାଇବୁ ଆମ୍ଭେ କାହିଁ
ଲକ୍ଷ୍ମୀ ପରି ଭାର୍ଯ୍ୟାକୁ ଯେ ଦେଲୁ ଘଉଡ଼ାଇ ॥୪୭୫॥
କପାଳ ମନ୍ଦ ଆମ୍ଭର ଦୁଇ ଭାଇ ବୁଲୁ
ଲକ୍ଷ୍ମୀ ଘଉଡ଼ାଇ ଆମ୍ଭେ ଏ ଦୁଃଖ ପାଇଲୁ ॥୪୭୬॥
ଦାସୀଏ ବୋଇଲେ ପଣ୍ଡା ହୋଇଲ କି ବାଇ
ନାରୀକି ଛାଡ଼ି ପୁରୁଷ ଦରିଦ୍ର କି ହୋଇ ॥୪୭୭॥
ଗୋବିନ୍ଦ ବୋଲନ୍ତି ଆମ୍ଭେ କହୁଅଛୁ ଶୁଣ
କେଉଁ ନାରୀ ଥିଲେ ହୁଏ ଐଶ୍ୱର୍ଯ୍ୟ ବର୍ଦ୍ଧନ ॥୪୭୮॥
କେଉଁ ନାରୀ ଥିଲେ ବଂଶ ନିପାତ ହୁଅଇ
କେଉଁ ନାରୀ ଥିଲେ ବାସି ପେଜ ନ ମିଳଇ ॥୪୭୯॥
କେଉଁ ନାରୀ ଥିଲେ ଶାଢ଼ୀ ସୁନାବଳା ପାଇ
କେଉଁ ନାରୀ ଅଲକ୍ଷଣୀ ଗୃହକୁ ଭାଙ୍ଗଇ ॥୪୮୦॥
ତୁମ୍ଭ ସାଆନ୍ତାଣୀକି ଗୋ ପଚାର ବୋଲଇ
ଦାସୀ କହେ ବାତୁଳ କି ହୋଇଲ ଗୋସାଇଁ ॥୪୮୧॥
କ୍ଷୁଧା ଲାଗୁଥିଲା ଏବେ ଭାତ ଯେ ଖାଇଲ
ଆମ୍ଭ ସାଆନ୍ତାଣିଙ୍କୁ ଯେ ପଚାର ବୋଇଲ ॥୪୮୨॥
ବଳରାମ ବୋଇଲେ ଏ ମୋର ପିଲା ଭାଇ
ତୁମ୍ଭ ସାଆନ୍ତାଣୀ ଆଗେ ଜଣାଇବ ନାହିଁ ॥୪୮୩॥
ଜଗନ୍ନାଥ କହୁଛନ୍ତି ଭୟ କାହିଁପାଇଁ
କିଛି ନ ବିଚାର ଆହେ ବଳରାମ ଭାଇ ॥୪୮୪॥
ଲକ୍ଷ୍ମୀଙ୍କର ଗୃହ ସିନା ଅଟଇ ଯେ ଏହି
ଏଠାରେ ଆପଣ ଭୟ କର କିସ ପାଇଁ ॥୪୮୫॥
ବଳରାମ ବୋଲୁଛନ୍ତି ବାବୁ ଚକ୍ରଧର
ତୁମ୍ଭେ ଯାଇ ହସ୍ତଧରି ମହାଲକ୍ଷ୍ମୀଙ୍କର ॥୪୮୬॥
ଆମ୍ଭ ଦୋଷ କଲୁ ବୋଲି କହ ତାଙ୍କୁ ଯାଇ
ଯହିଁ ଇଚ୍ଛା ତ‌ହିଁ ଥାଅ ଆମ୍ଭ ମନା ନାହିଁ ॥୪୮୭॥
ଯେତେବେଳେ ବଳରାମ ଏମନ୍ତ କହିଲେ
ଭିତର ପୁରକୁ ପ୍ରଭୁ ନିଜେ ବିଜେ କଲେ ॥୪୮୮॥

Back to Top

§ 14 - ଜଗନ୍ନାଥ ଓ ଲକ୍ଷ୍ମୀଦେବୀଙ୍କ ପୁନର୍ମିଳନ (୪୮୯-୫୧୦) - Video Play Time: (1:35:00)

ଧୀରେ ଧୀରେ ଭିତରକୁ ଗଲେ ପୀତବାସ
ପ୍ରବେଶ ହୋଇଲେ ଯାଇ କମଳାଙ୍କ ପାଶ ॥୪୮୯॥
ପାଣିଝରି ଘେନିକରି କମଳା ଅଇଲେ
ଦରହାସେ ପ୍ରଭୁଙ୍କର ମୁଖକୁ ଚାହିଁଲେ ॥୪୯୦॥
ଅତି ଯତନରେ ଦେଲେ ପାଦପଦ୍ମ ଧୋଇ
ଥୋପାଏ ପାଦ ଉଦକ ମସ୍ତକେ ଲଗାଇ ॥୪୯୧॥
କିଛି ପାଦୋଦକ ଲକ୍ଷ୍ମୀ ଗର୍ଭକୁ ଖେପିଲେ
ପଞ୍ଚବର୍ଣ୍ଣ ପୁଷ୍ପେ ପାଦପଦ୍ମ ପୂଜାକଲେ ॥୪୯୨॥
ମହାଲକ୍ଷ୍ମୀ କହୁଛନ୍ତି ପ୍ରଭୁଙ୍କୁ ଅନାଇ
ଚଣ୍ଡାଳୁଣୀ ବୋଲି ମୋତେ ଦେଲ ଘଉଡ଼ାଇ ॥୪୯୩॥
ଚଣ୍ଡାଳୁଣୀ ଘରେ ଏବେ ଭୁଞ୍ଜିଲ ଗୋସାଇଁ
ଚଣ୍ଡାଳ ବିଟାଳ ହେଲ ଦୁଇଗୋଟି ଭାଇ ॥୪୯୪॥
ଧିକ ତୁମ ବଡ଼ପଣ ଧିକ ତୁମ କଥା
ପୋଡ଼ୁ ତୁମ୍ଭର ପ୍ରତିଜ୍ଞା ଧିକ ତୁମ୍ଭ ଭ୍ରାତା ॥୪୯୫॥
ମହାଲକ୍ଷ୍ମୀ ଏ ପ୍ରକାରେ ବ‌ହୁ ଧିକାରିଲେ
କାଳୀୟଦଳନ ଶୁଣି କିଛି ନ କହିଲେ ॥୪୯୬॥
ମହାମୟୀ ବୋଇଲେ ଯେ ଶୁଣ ମୋ ବଚନ
ମୋର କିସ କାର୍ଯ୍ୟ ତୁମ୍ଭେ କହ ହେ ବ‌ହ‌ନ ॥୪୯୭॥
କିଛି କ୍ଷଣ ଉତ୍ତାରେ ବୋଇଲେ ଜଗନ୍ନାଥ
ଏବେ ମନୁ ମାନ ତେଜ ଜଗତର ମାତ ॥୪୯୮॥
ଅକାରଣେ ଏତେ କଥା କହ ପ୍ରାଣସ‌ହୀ
ଆମ୍ଭର ପ୍ରାର୍ଥନା ଏହି ସଙ୍ଗେ ଯିବାପାଇଁ ॥୪୯୯॥
ବଡ଼ ହେଲେ କିସ ହେଲା ଗରବ ଗଞ୍ଜିଲ
ରବି ତଳେ ସବୁ ଯୁଗେ ଯଶ ରଖିଗଲ ॥୫୦୦॥
ତୁମ୍ଭ ଯୋଗେ ଆମ୍ଭେ କଷ୍ଟ ପାଇଲୁ ବ‌ହୁତ
ଆମ୍ଭେ ଭିକ୍ଷା ମାଗିବାର ଜାଣିଲେ ଜଗତ ॥୫୦୧॥
ତୁମ୍ଭ ଯଶ କିର୍ତ୍ତୀ ଏବେ ଜଗତେ ରହିଲା
ଆମ୍ଭଙ୍କୁ ଅନ୍ନ ଦେବାର ଜଗତ ଶୁଭିଲା ॥୫୦୨॥
ଗୁରୁବାର ଦିନ ଏ ପୁରାଣ ଯେ ଶୁଣିବ
ଜନ୍ମ ଜନ୍ମାନ୍ତର ପାପ ତାର କ୍ଷୟ ହେବ ॥୫୦୩॥
ଲକ୍ଷ୍ମୀପୂଜା ଦିନ ଏହା ଯେ ନାରୀ ଗାଇବ
ଇହଜନ୍ମେ ପତିବ୍ରତା ବୈକୁଣ୍ଠକୁ ଯିବ ॥୫୦୪॥
ଯଦ୍ୟପି କେହି ନାରୀକୁ ମୁଖେ ବୁଝାଇବ
ତାହାର ସୁକୃତ ଆଉ କେ କହି ପାରିବ ॥୫୦୫॥
ଏତେ କହି ଗୋବିନ୍ଦ ଧଇଲେ ଲକ୍ଷ୍ମୀ ହସ୍ତ
ଜଗତ ମାତ ବୋଇଲେ କର ତୁମ୍ଭେ ସତ୍ୟ ॥୫୦୬॥
ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ
ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ॥୫୦୭॥
ହାଡ଼ିର ହସ୍ତୁ ବ୍ରାହ୍ମଣେ ଛଡ଼ାଇ ଖାଇବେ
ବ୍ରାହ୍ମଣେ ଖାଇଣ ହସ୍ତ ମୁଣ୍ଡରେ ପୋଛିବେ ॥୫୦୮॥
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ
ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ॥୫୦୯॥
ହେଉ ହେଉ ବୋଲି ଆଜ୍ଞା ଦେଲେ ମହାବାହୁ
ଯୁଗେ ଯୁଗେ ଲକ୍ଷ୍ମୀ ତୁମ୍ଭ ଏହି ଯଶ ରହୁ ॥୫୧୦॥

Back to Top

§ 15 - ଲକ୍ଷ୍ମୀଦେବୀଙ୍କୁ ନେଇ ଜଗନ୍ନାଥ ବଡ଼ ଦେଉଳକୁ ବିଜେକଲେ (୫୧୧-୫୧୬) - Video Play Time: (1:39:00)

ଲକ୍ଷ୍ମୀଙ୍କ ହସ୍ତ ଧରିଣ ଜଗନ୍ନାଥ ନେଲେ
ବଡ଼ ଦେଉଳକୁ ପ୍ରଭୁ ବିଜେ କରିଗଲେ ॥୫୧୧॥
ଲକ୍ଷେ ଚନ୍ଦ୍ର ଉଦିଆଯେ ଛାମୁରେ ଜଳଇ
ଦେଉଳକୁ ବିଜେ କଲେ ବ୍ରହ୍ମାଣ୍ଡ ଗୋସାଇଁ ॥୫୧୨॥
ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା
ବ୍ରହ୍ମା ଡାକୁଛନ୍ତି ଦେବ ଗୁହାରି ଶୁଣିମା ॥୫୧୩॥
ବରୁଣ କୁବେର ଯେ ହସ୍ତରେ ବେତ ଧରି
ନୃତ୍ୟ କରୁଥିଲେ ତହିଁ ସ୍ୱର୍ଗ ଅପସରି ॥୫୧୪॥
ରମ୍ଭା ଯେ ମେନ‌କା ଆଦି ଆଉ ଚିତ୍ରଲେଖା
ତୁଳସୀ ମାଳତି ଆଉ ଅନ୍ୟାନ୍ୟ ରସିକା ॥୫୧୫॥
ଚଞ୍ଚଳା ଯେ ମଦାଳସୀ ଆବର ସୁଶୀଳା
ନୃତ୍ୟ ଆରମ୍ଭନ୍ତି ହୃଷ୍ଟ ହୋଇ ସେ ଅବଳା ॥୫୧୬॥

Back to Top

§ 16 - ଲକ୍ଷ୍ମୀ ପୁରାଣ ମାହାତ୍ମ୍ଯ (୫୧୭-୫୨୮) - Video Play Time: (1:39:00)

ବଳରାମ କହୁଛନ୍ତି ଶୁଣରେ କହ୍ନାଇ
ଘରକୁ ଘରଣୀ ସିନା ସୁନ୍ଦର ଦିଶଇ ॥୫୧୭॥
ଯେତେବେଳେ ଦାଣ୍ଡେ ଯାଉଥିଲୁ ଦୁଇ ଭାଇ
ଚୋର ଖଣ୍ଟ ବୋଲି ଦେଉଥିଲେ ଘଉଡ଼ାଇ ॥୫୧୮॥
ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ
ଲକ୍ଷ୍ମୀ ଏତେ ବଡ଼ ବୋଲି ଏବେ ଜାଣିଲଇଁ ॥୫୧୯॥
ଲକ୍ଷ୍ମୀ ଦେବୀ ବିଜେକଲେ ତାଙ୍କ ଦେଉଳକୁ
ଦୁଇ ଭାଇ ବିଜେକଲେ ବଡ଼ ଦେଉଳକୁ ॥୫୨୦॥
ଦାସୀ ପରିଚାରି ଆଦିକରି ଯେତେ ଥିଲେ
ଲକ୍ଷ୍ମୀ ଆସିଲାରୁ ସେ ସମସ୍ତ ଯେ ଅଇଲେ ॥୫୨୧॥
ଲକ୍ଷ୍ମୀଙ୍କୁ ପାଇଣ ଦେବ ଗୋବିନ୍ଦ ଆନନ୍ଦ
ସଂସାରରେ ସେହି ମତେ କଲେକ ମୁକୁନ୍ଦ ॥୫୨୨॥
ଶୁଣିଲେ ନାରଦ ଏହି ପୁରାତନ ଆଖ୍ୟା
ଯାହା ଅପ୍ରସନ୍ନେ ପ୍ରଭୁ ମାଗିଲେ ଯେ ଭିକ୍ଷା ॥୫୨୩॥
ଛାର ଚଣ୍ଡାଳୁଣୀ ଅଇଶ୍ୱର୍ଯ୍ୟ ଭୋଗ କଲା
ଲକ୍ଷ୍ମୀଙ୍କର ସୁଦୟାରେ ଏମନ୍ତ ହୋଇଲା ॥୫୨୪॥
ଏ ପୁରାଣ ପଢ଼ିଲେ ଯେ ସର୍ବସିଦ୍ଧି ହୁଏ
ସୂର୍ଯ୍ୟୋଦୟ ସମ ସମ ପାପ କ୍ଷୟ ହୁଏ ॥୫୨୫॥
ଏ ପୁରାଣ ଯେଉଁମାନେ ପଢ଼ନ୍ତି ଶୁଣନ୍ତି
ଲକ୍ଷ କୋଟି ଗୋଦାନର ଫଳ ଯେ ଲଭନ୍ତି ॥୫୨୬॥
ଏ ପୁରାଣ ଅଟଇ ଯେ ମୁକତିର ପଥ
ଏହା ଫଳ କଥନରେ କେ ହେବ ସମର୍ଥ ॥୫୨୭॥
ଲକ୍ଷ୍ମୀଙ୍କ ପୁରାଣ ଏହୁ ସମ୍ପୂର୍ଣ୍ଣ ହୋଇଲା
ଭାବେ ବଳରାମ ଦାସ ଗୀତରେ କହିଲା ॥୫୨୮॥

॥ ଇତି ଶ୍ରୀ ଲକ୍ଷ୍ମୀ ପୁରାଣ ସମ୍ପୂର୍ଣ୍ଣ ॥


ମାଣବସା ଗୁରୁବାର / ଲକ୍ଷ୍ମୀ ପୁରାଣ ବହି ଗୀତ:
ଗୀତା ଦାସ, ନମିତା ଅଗ୍ରୱାଲ ଙ୍କ କଣ୍ଠରେ, ବଳରାମ ଦାସ ଙ୍କ ରଚିତ, ଭାରତୀକୃଷ୍ଣ ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ୧୯୯୨ ମସିହାର ମାଣବସା ଗୁରୁବାର / ଲକ୍ଷ୍ମୀ ପୁରାଣ ବହି ଗୀତ “ନମସ୍ତେ କମଳା ମାଗୋ ସାଗର ଦୁଲଣୀ..” ପଢ଼ନ୍ତୁ “ଦି ସ୍ମରଣିକା” ରେ ଓଡ଼ିଆରେ ।


 

Keywords: Manabasa Lakhmi Purana, Manabasa Gurubara Bahi Gita, Namaste Kamala Maago Sagara Dulani, Gita Das, Namita Agrawal, Balaram Das, 1992 Odia Bhajan, Pothi Purana, The Smaranika, Odia Blog, Odia Website, Odia Lyrics, ମାଣବସା ଲକ୍ଷ୍ମୀ ପୁରାଣ, ମାଣବସା ଗୁରୁବାର ବହି ଗୀତ, ନମସ୍ତେ କମଳା ମାଗୋ ସାଗର ଦୁଲଣୀ, ଗୀତା ଦାସ, ନମିତା ଅଗ୍ରୱାଲ, ବଳରାମ ଦାସ, ଭାରତୀକୃଷ୍ଣ, ପୋଥି ପୁରାଣ, ମାଣବସା ଗୁରୁବାର ମହାଲକ୍ଷ୍ମୀ ପୁରାଣ, ୧୯୯୨ ମସିହାର ଓଡ଼ିଆ ଭଜନ, ଦି ସ୍ମରଣିକା, ଓଡ଼ିଆ ବ୍ଲଗ, ଓଡ଼ିଆ ୱେବସାଇଟ, ଓଡ଼ିଆ ଲିରିକ୍ସ


ଆପଣଙ୍କ ମତାମତ ବା ପ୍ରଶ୍ନ ତଳେ comment କରି ଜଣାନ୍ତୁ...

Comments

  1. ଡାହାଣଅ ଖରା ପଡିଛି ବେଳ ଯାଉଛି ବୁଡି ....ଆସ ଆସ ପାରା ଯୋଡିକ ମୋର ପିଣ୍ଡା ବସ ....ଏହି କବିତା ଅଳ୍ପ ମନେ ଅଛି।ଖୋଜିବାକୁ ଚେଷ୍ଠା କରନ୍ତୁ ।

    ReplyDelete
    Replies
    1. ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚିତ ଏହି ସୁନ୍ଦର ଗୀତଟି ନିଶ୍ଚେ ଲେଖିବୁ । ଆଗ୍ରହ ପାଇଁ ଅଶେଷ ଧନ୍ୟବାଦ ଜଣାଉଛୁ ।

      - "ଦି ସ୍ମରଣିକା" ଟିମ୍

      Delete

Post a Comment

ଆପଣଙ୍କ ବହୁମୂଲ୍ୟ ମତାମତ ଅପେକ୍ଷାରେ...

Donate = Love = Support

Note: Acknowledgement receipt (PDF) will be sent to your email ID within 3 weeks of receiving your contribution. Please mention your email ID, when asked, while contributing.

Within India (UPI / Netbanking / Debit Card / Credit Card):

Outside India (Debit Card / Credit Card / Paypal):

ଗତ ସପ୍ତାହର "ଦି ସ୍ମରଣିକା" ପାଠକଙ୍କ ଆଦୃତ ଲେଖା ସମୂହ

ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର୍ ଜୀବନ - Hae Krushna Hae Krushna Boli Jau Mor Jibana Lyrics

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି - Utha Kankala, Chhidu Shrunkhala, Jaga Durbala Aaji Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

ବଣ ଓ ବଣି (ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି) - Bana O Bani (Dekhila Kuna Mahula Dale Basichhi Eka Bani) Lyrics

ନିକଟରେ ମିଳିଥିବା ମନ୍ତବ୍ୟ ସବୁ

"ଦି ସ୍ମରଣିକା" ପାଠକଙ୍କ ସର୍ବାଧିକ ଆଦୃତ ଲେଖା ସମୂହ

କାଳିଜାଈରେ ସନ୍ଧ୍ୟା - Kalijaire Sandhya Kabita Lyrics

ଜଗତେ କେବଳ ଜନେ ହସିବେ - Jagate Kebala Jane Hasibe Lyrics

ମୋ କଳା ଚାନ୍ଦରେ ଧନ୍ୟ ତୋ ଛନ୍ଦରେ - Mo kala chandare dhanya to chhandare Lyrics

Do you want to donate in a currency other than Indian Rupees (INR)? Logon to your PayPal account here and donate any amount. If you do not have a PayPal account, you can securely pay using any Debit or Credit Card as explained on our support page.

ଦି ସ୍ମରଣିକା କ୍ଵିକ୍ ଲିଙ୍କ ସମୂହ